ଜୀବିକା ବଞ୍ଚାଇବା ପାଇଁ ଗର୍ଭାଶୟ ବାହାର କରୁଛନ୍ତି ମହିଳା

ମୁମ୍ବାଇ,୨୬।୧୨: ଏଭଳି ଏକ ରାଜ୍ୟ ଅଛି ଯେଉଁଠାରେ ଜୀବିକା ବଞ୍ଚାଇବା ପାଇଁ ମହିଳାମାନେ ନିଜ ଗର୍ଭାଶୟ ବାହାର କରିଦେଉଛନ୍ତି। ଏହି ଘଟଣା ଚକିତ କରୁଥିବା ବେଳେ ଏହା ସତ। ଏଭଳି ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ମରାଠଓ୍ବାଡା ଅଞ୍ଚଳରୁ। ଏହାକୁ ନେଇ କଂଗ୍ରେସ ନେତା ତଥା ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ନୀତୀନ ରାଉତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଜଣାଇଛନ୍ତି। ଜୀବିକା ବଞ୍ଚାଇବା ପାଇଁ ଆଖୁ କ୍ଷେତରେ କାମ କରୁଥିବା ମହିଳା ନିଜର ଗର୍ଭାୟଶ ବାହାର କରିବା ଘଟଣା ଉପରେ ରୋକ ଲଗାଇବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ନୀତୀନଙ୍କ କହିବା ଅନୁସାରେ, ଆଖୁ କ୍ଷେତରେ କାମ କରୁଥିବା ଶ୍ରମିକଙ୍କ ସଂଖ୍ୟା ମଧ୍ୟରୁ ମହିଳାଙ୍କ ସଖ୍ୟା ସବୁଠାରୁ ଅଧିକ ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଋତୁସ୍ରାବ ସମୟରେ ମହିଳାମାନେ କ୍ଷେତରେ କାମ କରିପାରନ୍ତ ନାହିଁ। କାମରେ ଅନୁପସ୍ଥିତ ରହିବା କାରଣରୁ ତାଙ୍କୁ ଜୀବିକା ହରାଇବାକୁ ପଡିଥାଏ। ଏଭଳି ସ୍ଥିତିରେ ଟଙ୍କା ପାଇଁ ନିଜର ଗର୍ଭାଶୟକୁ ସେମାନେ ବାହାର କରିଦେଉଛନ୍ତି। କାରଣ ଏହା ପରେ ଆଉ ଋତୁସ୍ରାବ ହେବନି ଏବଂ ତାଙ୍କୁ କାମରୁ ଛୁଟି ନେବାକୁ ପଡିବନି। ଏଭଳି କରୁଥିବା ମହିଳାଙ୍କ ସଂଖ୍ୟା ପ୍ରାୟ ୩୦,୦୦୦ ରହିଛି ବୋଲି ନୀତୀନ କହିଛନ୍ତି। ଆଖୁ ଚାଷ ଛଅ ମାସ ପର୍ଯ୍ୟନ୍ତ ହୋଇଥାଏ। ଏହି ମାସ ଗୁଡିକରେ ଯଦି ଚିନି ଫ୍ୟାକ୍ଟିଗୁଡିକ ପ୍ରତି ମାସରେ ଚାରି ଦିନର କାମ ଦେବା ପାଇଁ ରାଜି ହୁଅନ୍ତି, ତେବେ ଏହି ସମସ୍ୟାର ସମାଧାନ ବାହାରି ପାରିବ ବୋଲି ସେ କହିଛନ୍ତି।

Share