ଜିଲା ଯୁବ ମହୋତ୍ସବ ଉଦ୍‌ଘାଟିତ

ଫୁଲବାଣୀ ଅଫିସ, ୭ା୧୨- କନ୍ଧମାଳ ଷ୍ଟାଡିୟମରେ ଜିଲା ଯୁବ ମହୋତ୍ସବ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜିଲାପାଳ ଡା.ବୃନ୍ଦା ଡି, ଜିଲା ଆଥ୍‌ଲେଟିକ ଆସୋସିଏଶନ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ବ୍ଲକ ତଥା ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ଲୋକାଲୋଚନକୁ ଆଣିବାର ପ୍ରୟାସ ହେଉଛି ଏହି ଯୁବ ମହୋତ୍ସବ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଯୋଗୁ ଗ୍ରାମାଞ୍‌ଚଳର ପ୍ରତିଭାମାନେ ନିଜର ପାରିଦର୍ଶିତା ଜିଲା ସମେତ ରାଜ୍ୟସ୍ତରରେ ଦେଖାଇ ପାରୁଛନ୍ତି ବୋଲି ଅତିଥିମାନେ କହିଥିଲେ। ପ୍ରଥମ ଦିନରେ ପ୍ରତିଯୋଗୀଙ୍କ ମଧ୍ୟରେ ଓଡିଶୀ, ଭାରତନାଟ୍ୟମ, କଥକ, କୁଚିପୁଡି ନୃତ୍ୟ, ଏଲୋକେସନ, ଏକକ ଅଭିନୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସୋମବାର ପର୍ଯ୍ୟନ୍ତ ଚାଲିବ। ଏଥିରେ ଯେଉଁମାନେ ଭଲ କରିବେ ସେମାନଙ୍କୁ ନେଇ ଏକ କଲ୍ଚରାଲ ଟ୍ରୁପ ଗଠନ କରାଯିବ। ସେମାନେ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ଭାଗନେବେ।