ଜିଲାରେ ୧୦,୯୦୦ ଆଇସୋଲେଶନ ଶଯ୍ୟା ଲକ୍ଷ୍ୟଧାର୍ଯ୍ୟ, ବର୍ତ୍ତମାନ ସୁଦ୍ଧା ୩,୯୦୫ ପ୍ରସ୍ତୁତ

ଭଦ୍ରକ ଅଫିସ,୧ା୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ବହୁ ପଦକ୍ଷେପ ନିଆଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବା ସହିତ ଏହାକୁ ତ୍ୱରାନ୍ବିତ କରାଯାଉଛି। ଭଦ୍ରକ ଜିଲା ବାହାରେ ଥିବା ବ୍ୟକ୍ତିବିଶେଷ ଯେଉଁମାନେ କି ଘରକୁ ଫେରିଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସନ୍ଦିଗ୍ଧଙ୍କୁ ଆଇସୋଲେଶନ ମଧ୍ୟରେ ରଖାଯିବାର ବନ୍ଦୋବସ୍ତ କରାଯାଇଛି। ଏଥିଲାଗି ସମଗ୍ର ଭଦ୍ରକ ଜିଲାରେ ମୋଟ ୧୦ ହଜାର ୯ଶହ ଶଯ୍ୟା ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ବେଳେ ମଙ୍ଗଳବାର ସୁଦ୍ଧା ୩ହଜାର ୯ଶହ ୫ଟି ଶଯ୍ୟା ପ୍ରସ୍ତୁତ କରାଯାଇ ସାରିଛି। ଜିଲାର ୨୧୮ଟି ଗ୍ରାମ ପଞ୍ଚାୟତରେ ପ୍ରଞ୍ଚାୟତ ପ୍ରତି ୫୦ଟି ଶଯ୍ୟା ହିସାବରେ ଆଇସୋଲେଶନ ଶଯ୍ୟା ପ୍ରସ୍ତୁତ କରାଯିବ। ଏହା ବ୍ୟତୀତ ୪ଟି ପୌରାଞ୍ଚଳ ଯଥା ଭଦ୍ରକ ପୌରାଞ୍ଚଳରେ ୬୦ଟି, ବାସୁଦେବପୁର ପୌରାଞ୍ଚଳରେ ୫୦ଟି, ଚାନ୍ଦବାଲି ଏନ୍‌ଏସିରେ ୧୫୦ଟି ଏବଂ ଧାମନଗର ଏନ୍‌ଏସିରେ ୫୧ଟି ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ସେହିପରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆଉଟଡୋର ଚିକିତ୍ସାକୁ ବନ୍ଦ ରଖାଯାଇଛି। ସମସ୍ତ ସହରବାସୀଙ୍କୁ ଆଉଟ୍‌ଡୋର ଚିକିତ୍ସା ପାଇଁ ପୁରୁଣାବଜାର ମେଡିକାଲ ଓ ବାଗୁରାଇ ମେଡିକାଲକୁ ଯିବାକୁ ମାଇକ ଯୋଗେ ପ୍ରଚାର କରି ଅନୁରୋଧ କରାଯାଇଛି।