ଜିଲାରେ ଗାଡ଼ି ଚେକିଂ କଡ଼ାକଡ଼ି

ବାରିପଦା ଅଫିସ, ୧ା୩- ନୂଆ ମୋଟର ଯାନ ଆଇନ ରବିବାରଠାରୁ ରାଜ୍ୟରେ କଡ଼ାକଡ଼ି ଲାଗୁ ହୋଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ଆରଟିଓ ବିଭାଗ ପକ୍ଷରୁ ଗାଡ଼ି ଚେକିଂ କରାଯାଇଥିଲା। ସହରର ପାଲବଣି ଗୋଲେଇ ଛକଠାରେ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ହୋଇଥିବା ଚେକିଂରେ ୫୦ ଜଣ ଚାଳକଙ୍କଠାରୁ ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ଜଣେ ବାଇକ୍‌ ଚାଳକଙ୍କୁ ସର୍ବାଧିକ ୨୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଚାଳକ ଜଣଙ୍କ ମଦ୍ୟପାନ କରି ଗାଡ଼ି ଚାଳନା କରୁଥିବା ବେଳେ ଗାଡ଼ିର କାଗଜପତ୍ର ମଧ୍ୟ ତାଙ୍କ ପାଖରେ ନ ଥିବାରୁ ଏହି ଜରିମାନା କରାଯାଇଥିବା ଜଣାପଡ଼ିଛି। ସହରଠାରୁ ଆରମ୍ଭ କରି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ପୋଲିସ ପକ୍ଷରୁ ଚେକିଂ କରାଯାଉଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ମଦ୍ୟପାନ କରି ଗାଡ଼ି ଚଲାଇବା, ଦ୍ରୁତଗତିରେ ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ଫୋନ୍‌ ବ୍ୟବହାର, ହେଲ୍‌ମେଟ ଓ ସିଲ୍ଟ ବେଲ୍‌ଟ ନ ପିନ୍ଧି ଗାଡ଼ି ଚଳାଇବା ନେଇ ଚେକିଂ କରାଯାଇଥିଲା। ରାତିରେ ମଧ୍ୟ ଚେକିଂ କଡ଼ାକଡ଼ି କରାଯାଉଥିବା ସୂଚନା ମିଳିଛି।