ଜିଲାପାଳ ଧାନତଳି ରୋଇବା ପ୍ରସଙ୍ଗ ଟୁଇଟ୍‌ କରି ନବୀନ, ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଛତ୍ରପୁର,୩୧ା୭(ଡି.ଏନ.ଏ)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଭରସା ଗାଁର ଏକ ଜମିରେ ଧାନତଳି ରୋଇଥିଲେ। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ମଙ୍ଗଳବାର ନିଜ ଟୁଇଟର୍‌ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଜିଲାପାଳଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଜିଲାପାଳ କୁଲାଙ୍ଗେ ଚାଷୀଙ୍କ ସହ ମିଶି ଧାନ ରୋଇବା ଏବଂ ଧାଡି ରୁଆର ଉପାଦେୟତା ସମ୍ପର୍କରେ ବୁଝାଇବା ତାଙ୍କ ଉସତ୍ର୍ଗୀକୃତ ସେବାର ପରିଚୟ। ଲୋକଙ୍କ ନିକଟତର ହୋଇ ସେମାନଙ୍କ ପାଇଁ କାମ କରୁଥିବାରୁ ଜିଲାପାଳଙ୍କୁ ସାଧୁବାଦ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟର ଆକାଉଣ୍ଟରେ ଲେଖିବା ସହ ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ମଧ୍ୟ ଏ ସମ୍ପର୍କରେ ପୋଷ୍ଟ କରିଛନ୍ତି। ଉକ୍ତ ପୋଷ୍ଟକୁ ଜିଲାପାଳ ଡିଏମ ଗଞ୍ଜାମ ଓ ବିଜୟ ଏ କୁଲାଙ୍ଗେ ୨ଟି ଫେସବୁକ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗ ଉପରେ ଟୁଇଟ କରିଛନ୍ତି ଜିଲାପାଳ କ୍ଷେତରେ ଚାଷୀଙ୍କ ସମସ୍ୟା ବୁଝିବା ଗଣମାଧ୍ୟମରୁ ଜାଣିବାକୁ ପାଇଲି। ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ସହ ମିଶି ସେମାନଙ୍କ ସମସ୍ୟା ସହ ଜଡିତ ହେଲେ ସମସ୍ୟାର ସମାଧାନ ପାଇଁ ରାସ୍ତା ବାହାରିବ ବୋଲି ଧର୍ମେନ୍ଦ୍ର ଟୁଇଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ବେଗୁନିଆପଡା ବ୍ଲକରେ ଅଭିଯୋଗ ଶୁଣାଣି ସାରି ଜିଲାପାଳ ଫେରିବା ବେଳେ ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତ ଭରସା ଗାଁ ନିକଟ କ୍ଷେତରେ ଚାଷୀଙ୍କ ସହ ମିଶି ଧାନ ତଳି ରୋଇଥିଲେ। ଏଥିସହ ସେଠାରେ ଉପସ୍ଥିତ ମହିଳା ଚାଷୀମାନଙ୍କ ସହ ଖରିଫ୍‌ ଫସଲ ଋଣ ଓ ଫସଲ ବୀମା ସମ୍ପର୍କରେ ଆଲୋଚନା କରିଥିଲେ। କୃଷି ଋଣ ଓ ଫସଲ ବୀମା ସମ୍ପର୍କରେ କିଭଳି ସମସ୍ତ ଚାଷୀ ଅବଗତ ହୋଇପାରିବେ ଏବଂ ଏଥିରେ ସାମିଲ ହେବେ ସେସମ୍ପର୍କରେ ସଚେତନ କରିବାକୁ ସେଠାରେ ଉପସ୍ଥିତ କୃଷି ଉପନିର୍ଦ୍ଦେଶକ ଓ ବ୍ଲକ କୃଷି ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।