ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର: ୭୪୮ ଅଭିଯୋଗ ପଞ୍ଜୀକୃତ

ମହାକାଳପଡା, ୨୨ା୧୦(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ସଭାଗୃହରେ ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ରେକର୍ଡ ସଂଖ୍ୟକ ୭୪୮ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ଶିବିରରେ ୪୧ଟି ସାମୂହିକ ଓ ଅନ୍ୟଗୁଡିକ ବ୍ୟକ୍ତିଗତ ଅଭିଯୋଗ ହୋଇଥିଲା। ଜିଲାପାଳ ସମର୍ଥ ବର୍ମା ଏଥିରେ ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। ଏସବୁ ଅଭିଯୋଗଗୁଡିକର ତୁରନ୍ତ ସମାଧାନ କରିବାକୁ ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ମା’ରାମଚଣ୍ଡୀ ମନ୍ଦିର ଜମିର ଜବର ଦଖଲ, ବାହାକୁଦ ମହାନଦୀ ଫେରିଘାଟ ନିଲାମ ସମସ୍ୟା, ଗୁପ୍ତଗିରି ଶାଖା ନଦୀରେ ବେଆଇନ ଭାବେ ଆଡ଼ିବନ୍ଧ ନିର୍ମାଣ କରାଯାଇଥିବା ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ ହୋଇଥିଲା। ଏସବୁ ଅଭିଯୋଗକୁ ଗୁରୁତ୍ୱର ସହ ନେବାକୁ ଜିଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଶିବିରରେ ଆବାସ ଯୋଜନା, ପାନୀୟ ଜଳ, ଶୌଚାଳୟ, ରାଶନ କାର୍ଡ, ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କିତ ଅଭିଯୋଗଗୁଡ଼ିକର ଶୁଣାଣି ହୋଇଥିଲା। ଏହି ଅବସରରେ ବରଜ ବାଲିପାଟ ଗ୍ରାମର ନିଖୋଜ ମତ୍ସ୍ୟଜୀବୀ ବାବୁ ସାମଲଙ୍କ ପରିବାରକୁ ୧୦ ହଜାର ଟଙ୍କାର ଚେକ୍‌ ଜିଲାପାଳ ପ୍ରଦାନ କରିଥିଲେ। ଏଥିସହ ସାମାଜିକ ସୁରକ୍ଷା ଯୋଜନାରେ ୩ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ, ୫ ଜଣଙ୍କୁ ଶ୍ରବଣଯନ୍ତ୍ର, ୨୦ ଜଣଙ୍କୁ ଭତ୍ତା, ୨ ଜଣଙ୍କୁ ଋଣ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲା ଏସପି ନିତିଶେଖର, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ପରିଡା, ସିଡିଏମଓ ଡା. ଉର୍ମିଳା ମିଶ୍ର, ଭାରପ୍ରାପ୍ତ ବିଡିଓ ଇଂ.ମୁରଲୀଧର ଦାଶ, ଅତିରିକ୍ତ ତହସିଲଦାର ଅଜିତ କୁମାର ସାହୁ, ଜିଲା ମଙ୍ଗଳ ଅଧିକାରୀ କାଳନ୍ଦୀଚରଣ ଭୋଇ ଓ ଜିଲା ଶିକ୍ଷା ଅଧିକାରିଣୀ କଳ୍ପନା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।