ଜିଲାପାଳଙ୍କ ଘୋଷଣା ପରେ ଘରଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛି ବ୍ଲକ ପ୍ରଶାସନ

ଗଞ୍ଜାମ,୯ା୪(ଡି.ଏନ୍‌.ଏ.) : କରୋନା ପାଇଁ ସରକାର ଓ ଜିଲା ପ୍ରଶାସନ ଦିନରାତି ଏକ କରିସାରିଲେଣି। କରୋନା ସଂକ୍ରମଣ କିପରି ନ ବ୍ୟାପିବ ସେନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗ ଜିଲାର ସମସ୍ତ ଜନସାଧାରଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଘୋଷଣା କରିଛନ୍ତି। ଜିଲାପାଳଙ୍କ ଘୋଷଣା ପରେ ବ୍ଲକ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ଗୁରୁବାର ଏହି ବ୍ଲକର ୧୫ଟି ପଞ୍ଚାୟତରେ ପ୍ରାଇମେରୀ ଶିକ୍ଷକ, ଅଙ୍ଗନୱାଡ଼ି କର୍ମୀ ଘରଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି। ଏହାକୁ ବିଡିଓ ଜ୍ୟୋତି ଶଙ୍କର ରାୟ ତଦାରଖ କରୁଛନ୍ତି। ନିଜେ ବିଡିଓ ମଧ୍ୟ ହୁମା ଗ୍ରାମକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଅଛି ପଚାରି ବୁଝିଛନ୍ତି। ଯଦି କୌଣସି ଲୋକଙ୍କଠାରେ କରୋନା ରୋଗର କିଛି ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଜିଲା ପ୍ରଶାସନକୁ ଅବଗତ କରାଯିବ ବୋଲି ନିର୍ଦ୍ଦେଶ ରହିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରଚ ତିନୋଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି।