ଜିଲାପରିଷଦ ଉପନିର୍ବାଚନ : ବିଜେଡିରୁ ୨, ଭାଜପାରୁ ୪ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨।୧୧(ସ୍ବ.ପ୍ର.) : ଚଳିତମାସ ୨୭ ତାରିଖରେ ହେବାକୁ ଥିବା କୋରାପୁଟ ଜିଲା ଦଶମନ୍ତପୁରର ୧ନଂ. ଜୋନ୍‌ ଏବଂ ପଟ୍ଟାଙ୍ଗି ବ୍ଲକର ୧ନଂ. ଜୋନ୍‌ରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଶନିବାର ଶାସକ ବିଜେଡି ପକ୍ଷରୁ ୨ଜଣ ପ୍ରାର୍ଥୀ ଓ ଭାଜପା ପକ୍ଷରୁ ୪ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ସ୍ଥାନୀୟ ଉପଜିଲାପାଳଙ୍କ ନିକଟରେ ଦାଖଲ କରିଛନ୍ତିି। ନାମାଙ୍କନପତ୍ର ଦାଖଲର ଶେଷଦିନ ସୁଦ୍ଧା କଂଗ୍ରେସର ଦୁଇ, ବିଜେଡିର ଦୁଇ ଓ ଭାଜପାର ୪ଜଣ ଏପରିକି ସମୁଦାୟ ୮ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ଉପଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି। ଶନିବାର ମଧ୍ୟାହ୍ନରେ ବିଜେଡି ପକ୍ଷରୁ ରାଜ୍ୟ ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପୋଡାଲ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନି, ପଟ୍ଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ପୂର୍ବତନ ମନ୍ତ୍ରୀ ରବି ନନ୍ଦ, ପୂର୍ବତନ ବିଧାୟକ ଗୁପ୍ତ ପ୍ରସାଦ ଦାସ ପ୍ରମୁଖ ଶତାଧିକ କର୍ମୀଙ୍କ ସହ ଏକ ଶୋଭାଯାତ୍ରାରେ ଯାଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚଥିଲେ। ଜିଲାପରିଷଦ ଦଶମନ୍ତପୁର ଜୋନ୍‌-୧ କହ୍ନେଇ ଜାନି ଓ ପଟ୍ଟାଙ୍ଗି ବ୍ଲକ ଜୋନ୍‌ -୧ ପାଇଁ ଲଇଛନ ଖରା ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଭାଜପା ପକ୍ଷରୁ ଜିଲା ସଭାପତି ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲା ଉପସଭାପତି ପୂର୍ଣ୍ଣିମା ନାୟକ, ପଟ୍ଟାଙ୍ଗି ବ୍ଲକ ଅଧ୍ୟକ୍ଷ ଜଗତ ପାଙ୍ଗି, ବରିଷ୍ଠ ନେତା ଜୟରାମ ଗରଡ଼ା, ତ୍ରିପୁରାରୀ ଗରଡା କୁମୁଦ ସାଉଁନ୍ତା ମଧ୍ୟ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଦଶମନ୍ତପୁର ଜୋନ୍‌ ୧ ପାଇଁ ବଳରାମ ମୁଦୁଲି (୧) ଓ ବଳରାମ ମୁଦୁଲି(୨) ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ପଟ୍ଟାଙ୍ଗି ଜୋନ୍‌ – ୧ ପାଇଁ ରାଜେଶ ହନ୍ତାଳ ଓ ଦେଶୁ ଖିଲ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।