Categories: ବାଣିଜ୍ୟ

ଜିରୋ ବାଲାନ୍ସ ଆକାଉଣ୍ଟରେ ନେଣଦେଣ: ୧୨୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ନେବ ଆଇସିଆଇସିଆଇ ବ୍ୟାଙ୍କ

ନୂଆଦିଲ୍ଲୀ,୧୬।୯: ଘରୋଇ ସେକ୍ଟରର ଆଇସିଆଇସିଆଇ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ଜୋର୍‌ଦାର ଝଟକା ଦେଇଛି। ବ୍ୟାଙ୍କ ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କୁ ଅକ୍ଟୋବର ୧୬ରୁ ଶାଖାରେ ପ୍ରତ୍ୟେକ ନଗଦ ଉଠାଣ ପାଇଁ ୧୦୦ରୁ ୧୨୫ ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଆଦାୟ କରିବ। ସେହିପରି ଗ୍ରାହକ ବ୍ୟାଙ୍କ ଶାଖାରେ ମେଶିନ ସହାୟତାରେ ଟଙ୍କା ଜମା କଲେ ଏଥିଲାଗି ମଧ୍ୟ ତାଙ୍କ ଠାରୁ ଶୁଳ୍କ ଆଦାୟ କରାଯିବ। ବ୍ୟାଙ୍କ ପକ୍ଷରୁ ଏକ ନୋଟିସ ଜାରି କରି କୁହାଯାଇଛି ଯେ, ଗ୍ରାହକମାନଙ୍କ ନେଣଦେଣକୁ ଡିଜିଟାଲ ମୋଡ୍‌ରେ ପରିବର୍ତ୍ତନ କରିବା ଲାଗି ବ୍ୟାଙ୍କ ପ୍ରୋତ୍ସାହିତ କରୁଛି। ସୂଚନାଥାଉ କି, ଏନ୍‌ଇଏଫ୍‌ଟି, ଆର୍‌ଟିଜିଏସ୍‌ ଏବଂ ୟୁପିଆଇ ଜରିଆରେ ହେଉଥିବା ପାଣ୍ଠି ସ୍ଥାନାନ୍ତର ଲାଗି ଲାଗୁଥିବା ଚାର୍ଜକୁ ଆଇସିଆଇସିଆଇ ବ୍ୟାଙ୍କ ପ୍ରତ୍ୟାହାର କରିନେଇଛି। ବର୍ତ୍ତମାନ ୧୦ହଜାରରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏନ୍‌ଇଏଫ୍‌ଟି ଟ୍ରାଞ୍ଜାକଶନ ଉପରେ ବ୍ୟାଙ୍କ ୨.୨୫ ଟଙ୍କାରୁ ଆରମ୍ଭ କରି ୨୪.୭୫ ଟଙ୍କା(ଜିଏସ୍‌ଟି ଅତିରିକ୍ତ) ଚାର୍ଜ ଆଦାୟ କରୁଛି। ସେହିପରି ଶାଖାରୁ ୨ ଲକ୍ଷରୁ ୧୦ ଟଙ୍କା ପର୍ଯ୍ୟନ୍ତ ଆର୍‌ଟିଜିଏସ୍‌ ନେଣଦେଣ ପାଇଁ ୨୦ରୁ ୪୫ ଟଙ୍କା ପର୍ଯ୍ୟନ୍ତ (ଜିଏସ୍‌ଟି ଅତିରିକ୍ତ) ଚାର୍ଜ ଆଦାୟ କରାଯାଉଛି।

Share