Categories: ଜାତୀୟ

ଜିଦ୍‌ରେ ଅଟଳ ରାହୁଲ: ୟୁପିରେ ୩୫ କଂଗ୍ରେସ ନେତାଙ୍କ ଇସ୍ତଫା

ଲକ୍ଷ୍ନୌ, ୩୦ା୬ : ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରଠାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ପଦରୁ ଇସ୍ତଫା ଦେବା ଲାଗି ଅଡ଼ି ବସିଛନ୍ତି। ପଛକୁ ଫେରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ହେଲେ ଦଳୀୟ କର୍ମକର୍ତ୍ତାମାନେ ରାହୁଲଙ୍କ ପ୍ରତି ଆସ୍ଥାରଖି ସେ ହିଁ ଦଳର ଅଧ୍ୟକ୍ଷ ରହିବେ ବୋଲି ଜିଦ୍‌ରେ ଅଟଳ ଅଛନ୍ତି।
ଦଳର ଶୋଚନୀୟ ପରାଜୟ କଂଗ୍ରେସ ନେତାଙ୍କୁ ହତୋତ୍ସାହିତ କରିପକାଇଛି। ଏନେଇ ପ୍ରଦେଶ କଂଗ୍ରେସ କମିଟିର ୩୫ ନେତା ଶନିବାର ଇସ୍ତଫା ଦେଇଛନ୍ତି। ପ୍ରଦେଶ କଂଗ୍ରେସର ଉପସଭାପତି ରଞ୍ଜିତ ସିଂ, ସାଧାରଣ ସମ୍ପାଦକ ଆରାଧନା ମିଶ୍ର ମୋନା, ଉପସଭାପତି ଆର୍‌.ପି. ତ୍ରିପାଠୀ ପ୍ରମୁଖ ନିର୍ବାଚନରେ ଦଳର ପରାଜୟ ଲାଗି ନୈତିକତା ଦୃଷ୍ଟିରୁ ଶନିବାର ଇସ୍ତଫା ଦେଇଛନ୍ତି। ଏଭଳି ଇସ୍ତଫା ସୁଅ ଆଗକୁ ଜାରି ରହିବ ବୋଲି ଜଣାପଡ଼ିଛି। ପୂର୍ବରୁ ପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ୍‌ ବବର ନିଜ ପଦରୁ ଇସ୍ତଫା ଦେଇଥିଲେ।
କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା କହିଛନ୍ତି, ପ୍ରଦେଶ କଂଗ୍ରେସର ବହୁ ନେତା ଇସ୍ତଫା ଦେଇଥିଲେ ହେଁ ରାହୁଲ ନିଜ ପଦରେ ରହିବା ଲାଗି ଦାବି କରିଛନ୍ତି। ଏଠାରେ ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ କଂଗ୍ରେସ ନେତା ଦୀପକ ବାବରିଆ, ଗୋଆ କଂଗ୍ରେସ ମୁଖ୍ୟ ଗିିରୀଶ ଚୋଡନ୍‌କର, ଦିଲ୍ଲୀ ପିସିସି କାର୍ଯ୍ୟକାରୀ ସଭାପତି ରାଜେଶ ଲିଲୋଥିଆ ଓ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପୋନାମ ପ୍ରଭାକର ପ୍ରମୁଖ ନିଜ ପଦରୁ ଇସ୍ତଫା ଦେଇସାରିଛନ୍ତି।

Share