Categories: ବାଣିଜ୍ୟ

ଜିଡିପି ୬.୧%କୁ ଖସିପାରେ: ଏସ୍‌ବିଆଇ ରିପୋର୍ଟ

ନୂଆଦିଲ୍ଲୀ,୨୯-୫: ଦେଶର ଆର୍ଥିକ ଅଭିବୃଦ୍ଧି ହାର ମାର୍ଚ୍ଚ ୨୦୧୯ରେ ଶେଷ ହେଉଥିବା ଚତୁର୍ଥ ତ୍ରୈମାସରେ ହ୍ରାସ ପାଇ ୫.୯ରୁ ୬.୧% ମଧ୍ୟରେ ରହିବ। ଏହାଦ୍ୱାରା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଜିଡିପି ହାର କମିବ ଏବଂ ଏହା ୭%ତଳକୁ ଖସିଯିବ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଏସ୍‌ବିଆଇ ଇକୋର଼୍ୟାପ୍‌ ରିପୋର୍ଟରେ କୁହାଯାଇଛି ଯେ, ଜିଡିପିକୁ ଦ୍ରୁତତର କରିବାକୁ ହେଲେ ରିଜର୍ଭ ବ୍ୟାଙ୍କ ଏହାର ମୁଦ୍ରାନୀତିରେ ରେପୋ ରେଟ୍‌ ୦.୫୦% ହ୍ରାସ କରିପାରେ। ଦେଶର ସର୍ବବୃହତ୍‌ ବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ, ଜିଡିପି ଅଭିବୃଦ୍ଧି ହାର ଚତୁର୍ଥ ତ୍ରୈମାସରେ ୬.୧%କୁ ଖସିଯିବ ବୋଲି ଅନୁମାନ କରାଯାଉଛି। ସେହିପରି ଜିବିଏ ଅଭିବୃଦ୍ଧି ହାର ୬% ଅଥବା ଏହାଠାରୁ କମ୍‌ ୫.୯% ରହିପାରେ। ଫଳରେ ଆର୍ଥିକ ବର୍ଷ ୨୦୧୮-୧୯ରେ ଦେଶର ବିକାଶ ହାର ୬.୯% ରହିପାରେ। ତେବେ ଉପଯୁକ୍ତ ନୀତି ଗ୍ରହଣ କରାଗଲେ ବର୍ତ୍ତମାନର ଜିଡିପି ହ୍ରାସ ଅସ୍ଥାୟୀ ବୋଲି ପ୍ରମାଣିତ ହେବ।

Share