Categories: ବାଣିଜ୍ୟ

ଜିଡିପିର ନୂଆ ବେସ୍‌ ଇୟର ନିଷ୍ପତ୍ତି ଶୀଘ୍ର

ନୂଆଦିଲ୍ଲୀ,୬-୧୧: ମୋଟ ଘରୋଇ ଉତ୍ପାଦ(ଜିଡିପି)ର ନୂଆ ବେସ୍‌ ଇୟର ନେଇ ସରକାର ଆଉ କିଛି ମାସ ମଧ୍ୟରେ ନିଷ୍ପତ୍ତି ନେବେ। ବର୍ତ୍ତମାନ ଜିଡିପି ଲାଗି ବେସ୍‌ ଇୟର ଭାବେ ୨୦୧୧-୧୨କୁ ବିଚାର କରାଯାଉଛି। ନୂଆ ବେସ୍‌ ଇୟର ଭାବେ ୨୦୧୭-୨୮କୁ ସରକାର ଗ୍ରହଣ କରିବା ନେଇ ବିଚାର କରାଯାଉଛି ବୋଲି ଶୁଣାଯାଉଛି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଏ ନେଇ ନିଷ୍ପତ୍ତି ନେବ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ଏକ ବିଶେଷଜ୍ଞ କମିଟି ନେବ। ଚୂଡାନ୍ତ ହେବା ଆଗରୁ କିଛି ଡାଟା ଉପରେ କମିଟି ବିଚାର କରିବା ନେଇ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି। ଏହା ମଧ୍ୟରେ ଶିଳ୍ପଗୁଡିକର ବାର୍ଷିକ ସର୍ଭେ ଏବଂ ଖାଉଟିଙ୍କ ବ୍ୟୟ ସର୍ଭେ ସାମିଲ ରହିଛି। ଏଥିଲାଗି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି।
ସମସ୍ତ ରିପୋର୍ଟ ଆସିଲା ପରେ ଏହାକୁ ନିର୍ଦ୍ଦିଷ୍ଟ କମିଟି ସାମ୍ନାରେ ରଖାଯିବ। ମନ୍ତ୍ରଣାଳୟର ସଚିବ ପ୍ରଭୀନ ଶ୍ରୀବାସ୍ତବ କହିଛନ୍ତି। ଅର୍ଥନୀତିରେ ସୁଧାର ଆସୁଛି କି ବୋଲି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ବର୍ତ୍ତମାନ କିଛି ଠିକ୍‌ ଭାବେ କହି ହେବନି। ନଭେମ୍ବର ୧୫ ସୁଦ୍ଧା ଶିଳ୍ପ ଉତ୍ପାଦନ ସୂଚୀ, ଖାଉଟି ମୂଲ୍ୟ ସୂଚୀ, ପାଇକାରୀ ମୂଲ୍ୟ ସୂଚୀ ଆସିବ। ଏହାକୁ ବିଚାର କଲା ପରେ ଯାଇ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗର ଉତ୍ତର ଦେଇ ହେବ। ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତର ୫%କୁ ଖସିଥିବା ବେଳେ ଅର୍ଥନୀତି ସୁଧାର ଲାଗି ସରକାର ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି। ସେପ୍ଟେମ୍ବରରେ କୋର୍‌ ସେକ୍ଟର ଅଭିବୃଦ୍ଧି ୫.୨% ଖସିଛି। ଶିଳ୍ପ ଉତ୍ପାଦନ କମିଥିବା ଏଥିରୁ ସ୍ପଷ୍ଟ ଜଣାପଡିଛି। ଅର୍ଥନୀତିରେ ହେଉଥିବା ପରିବର୍ତ୍ତନକୁ ଜାଣିବା ଲାଗି ସରକାର ବେସ୍‌ ଇୟର ପରିବର୍ତ୍ତନ କରୁଥିବା ଶ୍ରୀବାସ୍ତବ କହିଛନ୍ତି।

Share