Categories: ବାଣିଜ୍ୟ

ଜିଏସ୍‌ଟି କ୍ଷତିପୂରଣ ବିଳମ୍ବକୁ ନେଇ ରାଜ୍ୟଗୁଡିକର ଉଦ୍‌ବେଗ

ନୂଆଦିଲ୍ଲୀ,୨୧-୧୧: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ପ୍ରଦାନକୁ ନେଇ ବିଭିନ୍ନ ରାଜ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ରାଜ୍ୟଗୁଡିକ ବିଭିନ୍ନ ସମସ୍ୟା ସାମ୍ନା କରୁଥିବା କହିଛନ୍ତି। ଦିଲ୍ଲୀ, ପଶ୍ଚିମବଙ୍ଗ, ପଞ୍ଜାବ,କେରଳ ଏବଂ ରାଜସ୍ଥାନ ଭଳି ରାଜ୍ୟଗୁଡିକର ଅର୍ଥମନ୍ତ୍ରୀମାନେ ମିଳିତ ଭାବେ ଏକ ପ୍ରେସ ଇସ୍ତାହାରରେ ଏ ନେଇ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାର ଗତ ୨ ମାସ ହେବ ରାଜ୍ୟଗୁଡିକୁ ଜିଏସ୍‌ଟି ବାବଦ କ୍ଷତିପୂରଣ ଦେଇ ନ ଥିବା ସୂଚନା ରହିଛି। ଏ ପ୍ରସଙ୍ଗରେ ବିବୃତି ରଖି ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର କହିଛନ୍ତି ଯେ, ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଏହି ପ୍ରସଙ୍ଗକୁ ଗୁରୁତ୍ୱ ସହ ବିଚାର କରିବାକୁ ତାଙ୍କୁ କୁହାଯିବ। ସମ୍ବିଧାନର ନିୟମକୁ ଅଣଦେଖା ନ କରି ରାଜ୍ୟଗୁଡିକୁ ଶୀଘ୍ର କ୍ଷତିପୂରଣ ପ୍ରଦାନ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବା ଉଚିତ। ପ୍ରଥମଥର ଲାଗି ଏଭଳି ହୋଇଥିବା ସେ ଖବରଦାତାଙ୍କୁ ସୂଚନା ଦେଇଛନ୍ତି।

Share