Categories: ବାଣିଜ୍ୟ

ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଲା

ନୂଆଦିଲ୍ଲୀ, ୨-୧୨: ଚଳିତ ଆର୍ଥତ୍କ ବର୍ଷରେ ଲଗାତର ଭାବେ ୩ ମାସ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ହ୍ରାସ ହେବା ପରେ ନଭେମ୍ବରରେ ୬% ବୃଦ୍ଧି ଘଟି ୧ ଲକ୍ଷ କୋଟି ଟଙ୍କା ଟପିଛି। ପାର୍ବଣ ଚାହିଦାକୁ ଯୋଗୁ ଜିଏସ୍‌ଟିରେ ଏଭଳି ଉନ୍ନତି ପରିଲକ୍ଷିତ ହୋଇଛି। ଗତ ବର୍ଷ ଏହି ସମୟରେ ୯୭,୬୩୭ କୋଟି ଟଙ୍କାର ଜିଏସ୍‌ଟି ଆଦାୟ କରିବାକୁ ସରକାର ସକ୍ଷମ ହୋଇଥିଲେ। ଅକ୍ଟୋବରରେ ୯୫,୩୮୦ କୋଟି ଟଙ୍କା ଜିଏସ୍‌ଟି ରାଜକୋଷକୁ ଆସିଥିଲା। ପରୋକ୍ଷ ଟିକସ ସଂଗ୍ରହରେ ୨ ମାସ ନକରାତ୍ମକ ଅଭିବୃଦ୍ଧି ପରେ ନଭେମ୍ବରରେ ୬% ଉନ୍ନତି ହୋଇଥିବା ସରକାରଙ୍କ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି। ପାର୍ବଣ ଚାହିଦା ଏବଂ ଅନୁପାଳନରେ ଉନ୍ନତି ଯୋଗୁ ଟିକସ ସଂଗ୍ରହ ବଢିଛି। ସଂଗ୍ରହ କରାଯାଇଥିବା ମୋଟ ୧,୦୩,୪୯୨ କୋଟିର ଜିଏସ୍‌ଟି ମଧ୍ୟରୁ କେନ୍ଦ୍ର ଜିଏସ୍‌ଟି ବା ସିଜିଏସ୍‌ଟି ବାବଦ ୧୯,୫୯୨ କୋଟି, ରାଜ୍ୟ ଜିଏସ୍‌ଟି ବା ଏସ୍‌ଜିଏସ୍‌ଟି ବାବଦ ୨୭,୧୪୪ କୋଟି, ସମନ୍ବିତ ଜିଏସ୍‌ଟି ବାବଦ ୪୯,୦୨୮, ସେସ ବାବଦ ୭୭୨୭ କୋଟି ଟଙ୍କା ରହିଛି। ଜିଏସ୍‌ଟି ଆରମ୍ଭ ହେବା ପରଠାରୁ ଏହା ୮ମଥର ଲାଗି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ପଡିଛି। ଜୁଲାଇ ପରେ ଚଳିତ ବର୍ଷ ଜିଏସ୍‌ଟି ସଂଗ୍ରହରେ ଏଭଳି ଉନ୍ନତି ଆସିଛି। ଏହି ସମୟରେ ମୋଟ ୭୭.୮୩ ଲକ୍ଷ ଜିଏସ୍‌ଟିଆର୍‌ ୩ବି ରିଟର୍ନ ଫାଇଲ କରାଯାଇଛି।

Share