Categories: ବାଣିଜ୍ୟ

ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବଢୁଛି

କଲିକତା, ୨୬-୨: ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବୃଦ୍ଧି ଘଟୁଥିବା ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ମଙ୍ଗଳବାର କହିଛନ୍ତି। ସେହିଭଳି ଜିଏସ୍‌ଟି ଆର୍‌ ୩ବି ଫାଇଲିଂରେ ବିଳମ୍ବ ଯୋଗୁ ଜରିମାନା ସୁଧ ବାବଦ ୪୬ ହଜାର କୋଟି ଟଙ୍କାର ଅର୍ଥ ଏବେ ମଧ୍ୟ ଲୋକଙ୍କଠାରୁ ଆଦାୟ କରିବାକୁ ବାକି ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଶିଳ୍ପ ସଂଘ ସିଆଇଆଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ବ୍ୟବସାୟୀ ମାନେ ଇନଭଏସ ଅପ୍‌ଲୋଡ କରିବା ଲାଗି ବିଫଳ ହେଉଛନ୍ତି। ୪୪ ହଜାର କୋଟି ଟଙ୍କାର ସନ୍ଦିଗ୍ଧ ନେଣଦେଶ ହୋଇଥିବା ସରକାର ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ଜିଏସ୍‌ଟି ତରତର ହୋଇ ଲାଗୁ କରାଇଦିଆଗଲା। ଏଥି ଲାଗି କୌଣସି ବେଟା ଟେଷ୍ଟିଂ ହୋଇନାହିଁ। ଯାହା ଫଳରେ ସାରା ଦେଶରେ ଏଭଳି ସନ୍ଦିଗ୍ଧ ନେଣଦେଣ ବଢୁଥିବା ମିତ୍ର ମତ ପ୍ରକାଶ କରିଛନ୍ତି। କେନ୍ଦ୍ରକୁ ରାଜସ୍ବ କମ୍‌ ମିଳୁଥିବାରୁ ରାଜ୍ୟଗୁଡିକ ମଧ୍ୟ କେନ୍ଦ୍ରରୁ ଭାଗ କମ୍‌ ପାଉଛନ୍ତି। ଏପଟେ ସେସ୍‌ ଏବଂ ସରଚାର୍ଜ ବଢାଯାଉଛି ଯାହାର ଲାଭ ରାଜ୍ୟଗୁଡିକୁ ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

Share