ଜାଲ ବୁଣି ସମୟ କାଟୁଛନ୍ତି ସମାରୁ

ସମ୍ବଲପୁର,୨୨ା୪(ବ୍ୟୁରୋ)-ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି । ଏପ୍ରିଲ ୨୦ରୁ କଟକଣା କିଛିମାତ୍ରାରେ କୋହଳ କରାଯାଇଛି । ଲକ୍‌ଡାଉନର ସୁଯୋଗ ନେଇ ଅନେକଙ୍କ ଜୀବନଶୈଳୀରେ ବି ପରିବର୍ତ୍ତନ ଆସିଛି । ପୁରାତନ କାମକୁ ଆପଣେଇଛନ୍ତି ବହୁ ଲୋକ। ସେଭଳି ଜଣେ ବ୍ୟକ୍ତି ହେଲେ ସମ୍ବଲପୁର ମହାନଗର ନିଗମ ଅଧୀନ ରାସନପୁର ଗ୍ରାମରେ ସମାରୁ। ଗ୍ରାମର ୭୫ ବର୍ଷିୟା ବୃଦ୍ଧ ସମାରୁ ଭୋଇ ମାଛମରା ଜାଲ ବୁଣିବାରେ ସମୟ କାଟୁଛନ୍ତି । ପୂର୍ବରୁ ଜାଲ ବୁଣିବା ତାଙ୍କର ଅଭ୍ୟାସ ରହିଛି । ହେଲେ ଅନ୍ୟକାମରେ ବ୍ୟସ୍ତ ଥିବାରୁ ଜାଲ ବୁଣିବା ପାଇଁ ସମୟ ଦେଇ ପାରୁ ନ ଥିଲେ । ଏବେ ଲକ୍‌ଡାଉନ ଯୋଗୁ ଆଉ କିଛି କାମ ନାହିଁ, ତେଣୁ ଅଧିକ ସମୟ ଜାଲ ବୁଣିବା ପାଇଁ ସେ ଦେଉଥିବା କହିଛନ୍ତି । ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କିଛି ସମୟ କାମ କଲେ ୧୦ ଦିନ ଭିତରେ ଗୋଟିଏ ଜାଲ ବୁଣିବା ସମ୍ପୂର୍ଣ୍ଣ ହୋଇଯିବ । ଜାଲ ବୁଣିବା ପରେ ଧୀବରମାନେ କିଣି ନେଇଥାନ୍ତି । ନିଜ ଘର ପାଇଁ ଗୋଟିଏ ଜାଲ ରଖିବା ପରେ ଅନ୍ୟ ଜାଲଗୁଡିକ ବିକ୍ରି କରାଯାଉଥିବା ସେ କହିଛନ୍ତି । ଗୋଟିଏ ଜାଲକୁ ୧୫ ଶହ ଟଙ୍କାରେ ବିକ୍ରି ହୋଇଥାଏ ବୋଲି ସମାରୁ କୁହନ୍ତି। ଏବେ ରୋଜଗାର ବନ୍ଦ ହୋଇଗଲା, ସରକାରୀ ସହାୟତା କିଛି ମିଳିଛି । ହେଲେ ଅଧିକ ସମୟ ବସି ରହିବା ପାଇଁ ଭଲ ଲାଗୁ ନାହିଁ । ତେଣୁ ଜାଲ ବୁଣିବା କାମ କରି କିଛି ରୋଜଗାର କରିବି ବୋଲି ଆଶା ରଖିଛି ବୋଲି ସେ କହିଛନ୍ତି।