ଜାମିନ ଖାରଜ: ଝାରପଡ଼ା ଫେରିଲେ ପ୍ରଦୀପ, ପାଠକ ବାପ-ପୁଅ

ବ୍ରହ୍ମପୁର ଅଫିସ,୧୭।୪:ଟାଟା ମୋଟର୍ସରେ ଚାକିରି ଦେବା ନଁାରେ ଟଙ୍କା ଠକେଇର ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ଅଭୟକାନ୍ତ ପାଠକ ଓ ପୁଅ ଆକାଶ ଜଡିତ ହେଉଛନ୍ତି। ଗୁରୁବାର ସେମାନଙ୍କ ଜାମିନ ପାଇଁ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରାଯାଇଥିଲା। ତିନି ଅଭିଯୁକ୍ତଙ୍କ ପାଇଁ ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ ଜାମିନ ପାଇଁ ଆବେଦନ କରିଥିଲେ। ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କ ନାମରେ ମାମଲା ରୁଜୁ କରୁଥିବାରୁ ଜାମିନ ଦେବାକୁ ସେ ଯୁକ୍ତି ବାଢ଼ିଥିଲେ। ଏଥିରେ ଆଇନଜୀବୀ ଅସିତ ଶତପଥୀ ସହଯୋଗ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ ଜବାବ ସୁଆଲ ଚାଲିଥିଲା। ଏହାର ଶୁଣାଣି କରି ଶେଷରେ ଏସ୍‌ଡିଜେଏମ୍‌ ଜିତେନ୍ଦ୍ରୀୟ ପାଣିଗ୍ରାହୀ ତାହାକୁ ଖାରଜ କରିଦେଇଛନ୍ତି। ଅନ୍ୟପଟେ ମଣ୍ଡଳ କାରାଗାରରେ ଥିବା ପ୍ରଦୀପ, ପାଠକ ବାପ-ପୁଅଙ୍କ ଶୁକ୍ରବାର ସକାଳେ କୋଭିଡ୍‌ ପରୀକ୍ଷା କରାଯାଇଥିଲା। କୋର୍ଟ ନିର୍ଦ୍ଦେଶ ପ୍ରକାରେ ସେମାନଙ୍କୁ ବ୍ରହ୍ମପୁର ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିଥିଲା। ପରେ ସେମାନଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି ବୋଲି ତାଙ୍କ ଓକିଲ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବୈଦ୍ୟନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ କାର୍ତ୍ତିକ ପ୍ରଧାନଙ୍କ ପୁଅକୁ ଟାଟା ମୋଟର୍ସରେ ଚାକିରି କରାଇ ଦେବାକୁ କହି ପ୍ରଦୀପ ୬ଲକ୍ଷ ଟଙ୍କା ଠକେଇ କରିଥିଲେ ବୋଲି ବୈଦ୍ୟନାଥପୁର ଥାନାରେ ସେ ଅଭିଯୋଗ କରିଥିଲେ। ଏଥିରେ ପାଠକ ବାପ-ପୁଅଙ୍କ ସମ୍ପୃକ୍ତି ଥିବା ନେଇ ଦର୍ଶାଇଥିଲେ। ପୋଲିସ ସେମାନଙ୍କ ବିରୋଧରେ ୮୧/୨୧ରେ ମାମଲା ରୁଜୁ କରିଥିଲା। ଅଭିଯୁକ୍ତମାନେ ଭୁବନେଶ୍ୱର ଝାରପଡା ଜେଲରେ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଅଣାଯିବା ପାଇଁ ପୋଲିସ କୋର୍ଟରେ ଆବେଦନ କରିଥିଲା। ଏଣୁ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ଝାରପଡ଼ା ଜେଲରୁ ଅଣାଯାଇ ଗୁରୁବାର ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା।