ଜାତୀୟ ରାଜପଥରେ ଲୁଟେରା ସକ୍ରିୟ : ୫ ବର୍ଷରେ ୯ ଜଣଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୩୦।୮ : ଖୋର୍ଦ୍ଧା ଜିଲା ଦେଇ ଅତିକ୍ରମ କରିଥିବା କୋଲକାତା-ମାଡ୍ରାସ ୧୬ ନଂ. ଓ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥରେ ଲୁଟେରା ସକ୍ରିୟ ହୋଇ ପଡିଛନ୍ତି। ଦିନବେଳା କାଁ ଭାଁ ଲୁଟ୍‌ ହେଉଥିବାବେଳେ ସନ୍ଧ୍ୟାରେ ରାଜପଥ ନିରାପଦ ନୁହେଁ। ଗତ ୫ ବର୍ଷ ମଧ୍ୟରେ ଲୁଟ୍‌ ବେଳେ ବାଇକରୁ ଖସି ୯ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ବିଭିନ୍ନ ଲୁଟ୍‌ ସମୟର ତରିକାକୁ ଅନୁଧ୍ୟାନ କଲେ ଲୁଟେରାଙ୍କ ଟାର୍ଗେଟରେ ବାଇକ୍‌ ରହିଥିବା ସ୍ପଷ୍ଟ ହୋଇଛି। କାରଣ ବାଇକ୍‌ରେ ଯାଉଥିବା ଯାତ୍ରୀଙ୍କଠାରୁ ଲୁଟ୍‌ କଲେ ଧରା ପଡିବାର ଭୟ ନାହିଁ। ଲୁଟେରାମାନେ ବନ୍ଧୁକ ଦେଖାଇ ଟଙ୍କା, ସୁନା, ରୁପ ଅଳଙ୍କାର ସହ ବାଇକ ମଧ୍ୟ ଲୁଟି ନେଉଛନ୍ତି। ଲୁଟେରାମାନଙ୍କୁ କାବୁ କରିବାକୁ ପୋଲିସର ପଦକ୍ଷେପ ନାହିଁ। ପାଟ୍ରୋଲିଂ ନ ଥିବାରୁ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି। ଗତ ୨ ମାସ ମଧ୍ୟରେ ଦୁଇ ରାଜପଥ ଅଞ୍ଚଳରେ ୨୦ରୁ ଊର୍ଦ୍ଧ୍ୱ ଲୁଟ୍‌ ହୋଇ ସାରିଲାଣି। ତେବେ ବେଶି ଲୁଟ୍‌ ହେଉଛି ୧୬ ନଂ. ଜାତୀୟ ରାଜପଥରେ। ୧୬ ନଂ. ଜାତୀୟ ରାଜପଥର ଖୋର୍ଦ୍ଧା ଆଦର୍ଶ ଥାନାର ପିତାପଲ୍ଲୀ ଛକଠାରୁ ବାଣପୁର ଥାନାର ହାଟବରଡିହ ଛକ ପର୍ଯ୍ୟନ୍ତ ଲୁଟେରାମାନେ ସେମାନଙ୍କର ରାଜ୍‌ ଚଳାଇଛନ୍ତି। ଲୁଟ୍‌ ପରେ ଲୁଟେରାମାନେ ନୟାଗଡ ଓ ଗଞ୍ଜାମ ଜିଲା ସୀମାକୁ ଚାଲି ଯାଉଛନ୍ତି। ଏହି ରାଜପଥ ଅଞ୍ଚଳରେ ଖୋର୍ଦ୍ଧା ଆଦର୍ଶ ଥାନା, ଖୋର୍ଦ୍ଧା ସଦର ଥାନା, ଜଙ୍କିଆ ଥାନା, ନିରାକାରପୁର ଥାନା, ଟାଙ୍ଗୀ ଥାନା, ବାଲୁଗାଁ ଥାନା ଓ ବାଣପୁର ଥାନା ଏବଂ ନୟାଗଡ ଜିଲାର ଚାନ୍ଦପୁର ଥାନା ରହିଥିଲେ ହେଁ ଅପରାଧୀଙ୍କୁ ରୋକ୍‌ ଲଗାଇ ପାରୁନି। ସେହିପରି ୫୭ ନଂ. ଜାତୀୟ ରାଜପଥରେ ଖୋର୍ଦ୍ଧା ଆଦର୍ଶ ଥାନା, ବାଘମାରୀ ଥାନା, ବେଗୁନିଆ ଥାନା, ବୋଲଗଡ ଥାନା ଏବଂ ନୟାଗଡ ଜିଲାର ରଣପୁର ଥାନାର ସୁନାଖଳା ଫାଣ୍ଡି ଆସୁଛି। ଏହି ରାସ୍ତାରେ ଲୁଟେରାମାନେ ମଧ୍ୟ ପୋଲିସକୁ ଚକମା ଦେଖାଇ ଲୁଟ୍‌ କରି ଚାଲିଛନ୍ତି। ଗତ ୨ ମାସ ମଧ୍ୟରେ ୯ ଟି ଲୁଟ୍‌ ହୋଇ ସାରିଲାଣି। ଲୁଟେରାମାନେ ଖୋର୍ଦ୍ଧା ଜିଲାର ସଡକ ପଥରେ ଲୁଟ୍‌ କରି ନୟାଗଡ ଜିଲାକୁ ଚାଲି ଯାଉଛନ୍ତି। ଅପରପକ୍ଷେ ୧୬ ନଂ. ଜାତୀୟ ରାଜପଥରେ ୬ ଜଣଙ୍କର ଓ ୫୭ ନଂ ଜାତୀୟ ରାଜପଥରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୨୪ ତାରିଖରେ ଜଣେ ମହିଳାଙ୍କଠାରୁ ଲୁଟ୍‌ ହୋଇଥିଲା। ମହିଳା ଜଣକ ବାଇକ୍‌ର ପଛପାଖରେ ବସିଥିବାବେଳେ ଲୁଟେରାମାନେ ଠେଲି ଦେଇ ଲୁଟ୍‌ କରିଥିଲେ। ତେବେ ଚଳନ୍ତା ବାଇକରୁ ଖସି ମହିଳା ପ୍ରାଣ ହରାଇଥିଲେ।