ଜଳସେଚନ ବିଭାଗ ଶୁଣିଲାନି, କେନାଲ ସଫେଇ କଲେ ଗ୍ରାମବାସୀ

କର୍ଲାମୁଣ୍ଡା,୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ପାଣି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆସିଥିବା ଡୁକେରମାଲ କେନାଲ (ସବ୍‌ମାଇନର -୧)କୁ ରବିବାର ସ୍ବେଚ୍ଛାକୃତ ଭାବେ କର୍ଲାମୁଣ୍ଡା ଗ୍ରାମବାସୀ ସଫେଇ କରିଛନ୍ତି। ଉତେଇ ଜଳସେଚନ ବିଭାଗ ପକ୍ଷରୁ ଜୁନ୍‌ ମାସ ଭିତରେ କେନାଲ ସଫା ହେବା କଥା। କାରଣ ଚାଷ ସମୟରେ ଜମିରେ ଠିକ୍‌ ଭାବେ ପାଣି ପହଞ୍ଚତ୍ଥାଏ। ତେବେ ବର୍ତ୍ତମାନ ସୁଦ୍ଧା ବିଭାଗ ପକ୍ଷରୁ କେନାଲଗୁଡିକର ବେଡ୍‌ ସଫେଇ ହୋଇ ନ ଥିବାରୁ ପାଣି ଶେଷମୁଣ୍ଡରେ ପହଞ୍ଚିପାରିନାହିଁ। ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ରବିବାର କର୍ଲାମୁଣ୍ଡା (ବସ୍ତି)ର ଚାଷୀ ନନ୍ଦିକିଶୋର ଭୋଇ, ପୁଷ୍ପବିନ୍ଦ ସାହୁ, ଆର୍ତ୍ତତ୍ରାଣ ସାହୁ, ଅଜିତ ସାହୁ, ଯତୀନ ସାହୁ, ମଣ୍ଟୁ ନାଏକ, ଧନେଶ୍ୱର ସାହୁ, ବିପିନ ସାହୁ, ଜୟଶଙ୍କର ସାହୁ, ହିରାମଣି ସାହୁଙ୍କ ସମେତ ପ୍ରାୟ ୩୦ ଜଣ ଚାଷୀ ସ୍ବେଚ୍ଛାକୃତ ଭାବେ ଆଗେଇ ଆସି କେନାଲର ପ୍ରାୟ ୧୫ ଶହ ମିଟର ପର୍ଯ୍ୟନ୍ତ ସଫେଇ କରିଛନ୍ତି।