ଜଳବାୟୁ ପରିବର୍ତ୍ତନ ଓ ମାନସିକତା

ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନ ପରିବେଶବିତ୍‌ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାର ସିଧାସଳଖ ପ୍ରଭାବ କେବଳ ମାନବ ସମାଜ ନୁହେଁ, ପଶୁପକ୍ଷୀ, ବୃକ୍ଷଲତା ଉପରେ ପଡ଼ିଥାଏ। ଯଦି ଜଳବାୟୁ ସ୍ବାସ୍ଥ୍ୟୋପଯୋଗୀ ନ ରହିଲା, ତେବେ ସେଥିଯୋଗୁ ଆମର ମାନସିକତା ପ୍ରଭାବିତ ହେବା ଯଥେଷ୍ଟ ଆଶଙ୍କା ରହିଛି ବୋଲି ଲଣ୍ଡନ ୟୁନିଭର୍ସିଟିର ପରିବେଶ ବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି। ଏକ ସଦ୍ୟତମ ସର୍ଭେରୁ ସେମାନେ ଏପରି କଥା ଜାଣିପାରିଛନ୍ତି। ଜଳବାୟୁ ପ୍ରଦୂଷିତ ହେବା ଦ୍ୱାରା ଏପରି ଅଞ୍ଚଳରେ ବସବାସ କରୁଥିବା କେତେଜଣ ବ୍ୟକ୍ତିଙ୍କର ମାନସିକତା କିପରି ରହୁଛି, ତାହାକୁ ତନ୍ନତନ୍ନ କରି ସେମାନେ ନିରୀକ୍ଷଣ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ସ୍ବଭାବ ଚିଡ଼ିଚିଡ଼ା ଥିବାର ଲକ୍ଷ୍ୟ କରାଯାଇଥିଲା।