ଜରୁରୀ ସହାୟତା ପାଣ୍ଠି ଗଠନ କଲେ ମୋଦି

ନୂଆଦିଲ୍ଲୀ,୨୯ା୩(ପି.ଟି.): କରୋନା ସଂକ୍ରମଣ ରୋକିବା ସହ ପରିସ୍ଥିତିର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜରୁରିକାଳୀନ ସହାୟତା ପାଣ୍ଠି ଗଠନ ଲାଗି ଶନିବାର ଘୋଷଣା କରିଛନ୍ତି। ସୁସ୍ଥ ଭାରତ ଗଠନରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଜରୁରୀ ସ୍ଥିତିରେ ରିଲିଫ ପାଣ୍ଠି (ପିଏମ୍‌-କେୟାର୍ସ ଫଣ୍ଡ) ସହାୟକ ହେବ ବୋଲି ସେ ଟୁଇଟ୍‌ କରିଛନ୍ତି। କୋଭିଡ୍‌-୧୯ ବିରୋଧରେ ଭାରତର ଲଢ଼େଇ ଲାଗି ଦାନ କରିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତି ଏ ସମ୍ପର୍କରେ ଜଣାଇପାରିବେ। ଏହି ପାଣ୍ଠିକୁ ମଧ୍ୟ ଅନ୍ୟ ବିପର୍ଯ୍ୟୟ ସମୟରେ ଉପଯୋଗ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ଏହି ନୂଆ ଦାତବ୍ୟ ଟ୍ରଷ୍ଟର ଅଧ୍ୟକ୍ଷ ରହିବାକୁ ଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହାର ସଦସ୍ୟ ରହିବେ ବୋଲି ଜଣାପଡିଛି। ଏହି ପାଣ୍ଠିକୁ ଦାନ କରିବା ଲାଗି ବହୁ ବିଶିଷ୍ଟ ବ୍ୟକ୍ତି ଆଗେଇ ଆସିଛନ୍ତି। ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିବାକୁ ଟୁଇଟର ଯୋଗେ ଘୋଷଣା କରିଛନ୍ତି। ବର୍ତ୍ତମାନ ସମୟରେ ଦେଶବାସୀଙ୍କ ଜୀବନ ବଡ଼। ‘ଜାନ୍‌ ହୈ ତୋ ଜହାଁ ହୈ’ ବୋଲି ସେ ଟୁଇଟ୍‌ କରିଛନ୍ତି।

Share