Categories: ଜାତୀୟ

ଜମ୍ମୁ-କଶ୍ମୀରରେ ପ୍ରବଳ ତୁଷାରପାତ : ଶ୍ରୀନଗରରେ ଯାତାୟାତ, ମୋବାଇଲ ସେବା ବ୍ୟାହତ

ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଗୁରୁବାର ପ୍ରବଳ ତୁଷାରପାତ ହୋଇଛି। ସକାଳୁ ପ୍ରବଳ ବରଫପାତ ହୋଇଥିବାରୁ ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ ଗୁଲମର୍ଗର ବିଭିନ୍ନ ସ୍ଥାନ ଓ ପାହାଡଗୁଡ଼ିକରେ ବରଫ ଚାଦର ଆସ୍ତରଣରେ ଆଚ୍ଛାଦିତ ହୋଇଯାଇଛି। ଏହାରି ଭିତରେ ଶ୍ରୀନଗରରେ ତୁଷାରପାତ ଯୋଗୁ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡ଼ିରହିଥିବାରୁ ହାଇଓ୍ବେ ଜାମ୍‌ ହୋଇଯାଇଛି। ଏଥିସହ ଜମ୍ମୁ ଓ ଶ୍ରୀନଗର ମଧ୍ୟରେ ସମସ୍ତ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି। କେବଳ ସେତିକି ନୁହେଁ ବହୁ ଅଞ୍ଚଳରେ ମୋବାଇଲ ସେବା ମଧ୍ୟ ବ୍ୟାହତ ରହିଛି। ଫଳରେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସୂଚନାଯୋଗ୍ୟ, କଶ୍ମୀର ଘାଟିରେ ୩ମାସ ପରେ ନଭେମ୍ବର ୧୧କୁ ରେଲଓ୍ବେ ସେବା ଆରମ୍ଭ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଏଠାରେ ଯେଉଁଭଳି ପାଗ ରହିଛି, ଲାଗୁଛି ଏହା ରେଲଓ୍ବେ ସେବା ଉପରେ ମଧ୍ୟ ପ୍ରଭାବ ପକାଇବ। ଅନ୍ୟପଟେ ଚଳିତ ବର୍ଷର ପ୍ରଥମ ତୁଷାରପାତକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି। ବରଫ ଚାଦର ଆସ୍ତରଣରେ ଢ଼ାଙ୍କିହୋଇଥିବା ପ୍ରାକୃତିକ ଦୃଶ୍ୟର ମଜା ଉଠାଇଛନ୍ତି ପର୍ଯ୍ୟଟକ।

Share