ଜମି ବିବାଦ ତୁଟିଲା, କାର୍ଯ୍ୟକ୍ଷମ ହେଲା ଅଙ୍ଗନଓ୍ବାଡି କୋଠା

ଖଲ୍ଲିକୋଟ,୪ା୧୦(ଡି.ଏନ.ଏ.)- ଜମି ବିବାଦ ଯୋଗୁ ଖଲ୍ଲିକୋଟ ବ୍ଲକ କହ୍ନେଇପୁର ପଞ୍ଚାୟତ କନ୍ଦିଗଁାରେ ପ୍ରାୟ ବର୍ଷେ ହେଲା ନିର୍ମିତ ଅଙ୍ଗନୱାଡ଼ି କେନ୍ଦ୍ର-୧ କୋଠା କାର୍ଯ୍ୟକ୍ଷମ ହୋଇପାରୁ ନ ଥିଲା। ପ୍ରଶାସନ ଓ ପୋଲିସ ହସ୍ତକ୍ଷେପ ପରେ ଗୁରୁବାର ଉକ୍ତ ଜମି ବିବାଦ ତୁଟିଛି। ନୂତନ ଅଙ୍ଗନଓ୍ବାଡି କୋଠା କାର୍ଯ୍ୟକ୍ଷମ ହୋଇଛି। ପ୍ରକାଶ ଯେ, ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ନିଜ ଜମିରେ ଅଙ୍ଗନୱାଡ଼ି କୋଠା ନିର୍ମାଣ ହୋଇଥିବା ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଗ୍ରାମବାସୀ ତାହା ସରକାରୀ ଜମି ବୋଲି ଦାବି କରିଥିଲେ। ଏହି ବିବାଦ ଲାଗି ରହିଥିବାରୁ ପାଖ ସ୍କୁଲର ଏକ ବିପଦସଂକୁଳ ଗୃହରେ ଅଙ୍ଗନୱାଡ଼ି କେନ୍ଦ୍ର ଚାଲିଥିଲା। ତେଣୁ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାଙ୍କୁ ଛାଡ଼ୁ ନ ଥିଲେ। ଗ୍ରାମ ସଭାପତି ତଥା ସମିତିସଭ୍ୟ ରବୀନ୍ଦ୍ର ନାଏକ ଏହି ସମସ୍ୟା ବ୍ଲକ ପ୍ରଶାସନ ନିକଟରେ ରଖିଥିଲେ। ପରେ ସମସ୍ତ ଗ୍ରାମବାସୀଙ୍କ ଉଦ୍ୟମ ଫଳରେ ଗୁରୁବାର ତହସିଲଦାର ଚିତ୍ତରଞ୍ଜନ ମହାନ୍ତ ଅଙ୍ଗନଓ୍ବାଡି କେନ୍ଦ୍ରଟି ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଦର୍ଶାଇଥିଲେ। ବିଡିଓ ନବକୃଷ୍ଣ ଜେନା, ଖଲ୍ଲିିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନଙ୍କ ଉପସ୍ଥିତିରେ ଅଙ୍ଗନୱାଡ଼ି କୋଠାକୁ ସିଡିପିଓ ମମତା ରାଣୀ ପାତ୍ର ଶୁଭାରମ୍ଭ କରିଥିଲେ। କହ୍ନେଇପୁର ପଞ୍ଚାୟତ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ସ୍ବାଇଁ, କନ୍ଦିଗଁା ଅଙ୍ଗନୱାଡ଼ି କେନ୍ଦ୍ର-୧ କର୍ମୀ ପ୍ରଭାତୀ ସାହୁ, ଗ୍ରାମ ସଭାପତି, ସମ୍ପାଦକ କୈଳାସ ଚନ୍ଦ୍ର ପାଳ ପ୍ରମୁଖ ଉପସ୍ଥିତ ଥିଲେ।