ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା

ବାହାନଗା, ୪ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଗ୍ରାମରେ ମୁଖ୍ୟ ରାସ୍ତା କଡରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା ଦେଖାଦେଇଛି। ବାଲେଶ୍ୱରରୁ ଧାମରାକୁ ଲାଗିଥିବା ସଲ୍ଟ ରୋଡ ଗୋପାଳପୁର ମଧ୍ୟ ଦେଇ ଯାଇଛି। ତେବେ ବଜାର ଉତ୍ତର କଡ ସଲ୍ଟରୋଡର ଗୋଟିଏ କଡରେ ବିଦ୍ୟୁତ ବିଭାଗ ତରଫରୁ ଖୁଣ୍ଟି ପୋତି ୩୩ କେଭି ବିଦ୍ୟୁତ ତାର ଟାଣି ନିକଟସ୍ଥ ଷ୍ଟ୍ରକଚରକୁ ଆଣୁଥିବା ବେଳେ ମିଶ୍ର ସାହି ନିକଟରେ କେତେକ ବ୍ୟକ୍ତି ତାଙ୍କ ଘର ଆଗ ଦେଇ ବିଦ୍ୟୁତ ତାର ଟାଣିବାକୁ ବିରୋଧ କରିଥିଲେ। ଫଳରେ ଦୀର୍ଘ ଦିନ ଧରି ବିଦ୍ୟୁତ ତାର ଟଣାଯିବାର ବ୍ୟାଘାତ ଘଟିଥିଲା ା ଏନେଇ ବିଦ୍ୟୁତ ବିଭାଗ ତରଫରୁ ବାହାନଗା ତହସିଲଙ୍କୁ ଚିଠି ଲେଖି ମିଶ୍ର ସାହିରେ ରାସ୍ତା କଡରେ କେତେ କେଉଁଠି ସରକାରୀ ଜମି ଅଛି ବାହାର କରିବାକୁ କହିଥିଲେ। ଚିଠି ଅନୁଯାୟୀ ତହସିଲ ପ୍ରଶାସନ ପୋଲିସ୍‌ ଫୋର୍ସ ସହିତ ଅମିନ, ଆରଆଇ ଓ ତହସିଲଦାର ଦେବଯାନୀ ଭୂୟାଁ ପ୍ରମୁଖ ସରକାରୀ ଜମି ଜବରଦଖଲକୁ ଉଚ୍ଛେଦ ପାଇଁ ଘଟଣାସ୍ଥଳରେ ଉପସ୍ଥିତ ରହି ସରକାରୀ ଜମି କେଉଁଠି କେତେ ଅଛି ତାହା ମପାମପି କରି ଚିହ୍ନଟ କରିଥିଲେ। ମାତ୍ର ସେହି ଚିହ୍ନଟକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଉଚ୍ଛେଦ କରିବାକୁ ଆସିଲେ ସେମାନେ ଜମି ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ପ୍ରଶାସନ ଦ୍ୱାରା ସରକାରୀ ଜମି ମପାମପି ହେବା ବେଳେ ୨ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ସମେତ ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ, ଏଏସ୍‌ଆଇ ପର୍ଶୁରାମ ଜେନା, ତହସିଲଦାର ଦେବଯାନୀ ଭୂୟଁା ଓ ମୁଖ୍ୟ କିରାଣି ମନୋରଞ୍ଜନ ବେହେରା, ଆରଆଇ, ଅମିନମାନେ ଉପସ୍ଥିତ ରହି ମପାମପି କରି ଚିହ୍ନଟ କରିଛନ୍ତି। ତେବେ ଚିହ୍ନଟ ସ୍ଥାନଗୁଡିକରୁ ଯଥାଶୀଘ୍ର ଅବରୋଧକାରୀମାନେ ଉଚ୍ଛେଦ କରିଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ା ତେବେ ଅବରୋଧ କରିଥିବା ବ୍ୟକ୍ତିମାନେ ନିଜ ତରଫରୁ ସରାକରୀ ଜମିରୁ ହଟି ନ ଗଲେ ପ୍ରଶାସନ ତରଫରୁ ପରବର୍ତ୍ତୀ ସମୟରେ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ ସହ ପ୍ରଶାସନ ନିଜେ ସରକାରୀ ଜମିକୁ ଉଚ୍ଛେଦ କରିବେ ବୋଲି ପ୍ରକାଶ କରିଛନ୍ତି ା