ଜବରଦଖଲରେ ସରକାରୀ ଜାଗା: ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ

ଖଣ୍ଡପଡ଼ା,୨୫।୧୧(ସ୍ବ.ପ୍ର.): ଖଣ୍ଡପଡ଼ା ତହସିଲ ଅଧୀନ ବଡବାଣପୁର ପଞ୍ଚାୟତ ରତନପୁର ଗ୍ରାମରେ ଥିବା କିଛି ସରକାରୀ ଜାଗାକୁ କେତେକ ବ୍ୟକ୍ତି ଜବରଦଖଲ କରି ସ୍ଥାୟୀ ବାସଗୃହ ନିର୍ମାଣ କରିଛନ୍ତି। ଏ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ପାଇନାହାନ୍ତି। ଏପରିସ୍ଥଳେ ଆଉ କେତେକ ଲୋକ ସରକାରୀ ଜାଗାରେ ସ୍ଥାୟୀ ବାସଗୃହ ନିର୍ମାଣ ନିମନ୍ତେ ଉଦ୍ୟମ ଚଳାଇଛନ୍ତି। ଏହାକୁ କେନ୍ଦ୍ର କରି ରତନପୁର ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ସରକାରୀ ଜାଗାରୁ ଜବର ଦଖଲକାରୀଙ୍କୁ ତୁରନ୍ତ ହଟାଇବା ଦାବିରେ ଗ୍ରାମବାସୀ ଶନିବାର ଆନ୍ଦୋଳନକୁ ଓହ୍ଲାଇଥିଲେ। ଗ୍ରାମର ଶତାଧିକ ମହିଳାପୁରୁଷ ରତନପୁର ଗ୍ରାମଠାରେ ଦୀର୍ଘ ୨ଘଣ୍ଟା ଧରି କଣ୍ଟିଲୋ-ଗଣିଆ ୪୮ନଂ. ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଏଥିଯୋଗୁ ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡିମୋଟର ଅଟକିରହି ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲା। ଖବର ପାଇ ଖଣ୍ଡପଡ଼ା ପୋଲିସ ଏସଡିପିଓ ଶ୍ରୀନିବାସ ମହାନ୍ତି ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରି ଯାଇଥିଲେ। ଅନ୍ୟପକ୍ଷରେ ସରକାରୀ ଜାଗାରୁ ଜବର ଦଖଲକାରୀଙ୍କୁ ହଟାଇବା ନିମନ୍ତେ ବାଣପୁର ସରପଞ୍ଚ ପ୍ରଦୀପ କୁମାର କର ଖଣ୍ଡପଡ଼ା ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ନ ହେଲେ ଆଗାମୀ ଦିନରେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ ବୋଲି ସରପଞ୍ଚ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି। ଗ୍ରାମବାସୀଙ୍କ କହିବା ମୁତାବକ ୨ଟି ସରକାରୀ ରାସ୍ତାକୁ ଜବରଦଖଲକାରୀ ନିଜ ଅକ୍ତିଆରରେ ରଖିଛନ୍ତି। ଫଳରେ ବ୍ଲକ ପ୍ରଶାସନ ପକ୍ଷରୁ ଅନୁଦାନ ଅର୍ଥ ମଞ୍ଜୁର ସତ୍ତ୍ୱେ ରାସ୍ତା ନିର୍ମାଣ ହୋଇପାରୁ ନାହିଁ। ଏଥିଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।