ଜବରଦଖଲରେ ରାଜାରାଜୁଡା ଅମଳର ବାବୁରକଟା

ଜାମଟିକ୍ରା,୧।୮(ଡି.ଏନ.ଏ): ବରଗଡ ଜିଲା ଅତାବିରା ବ୍ଳକ ବୁଗବୁଗା ପଞ୍ଚାୟତର ଜାମଟିକ୍ରା ଉପକଣ୍ଠରେ ଥିବା ୧୦୨ ଏକର ବିଶିଷ୍ଟ ବାବୁରକଟା ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି । ସେହିପରି ରାଜାରାଜୁଡା ଅମଳର ଏହି ବିରାଟ କଟାର ଜରାଜୀର୍ଣ୍ଣ ଅବସ୍ଥା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଜଳ ସମସ୍ୟା ଦେଖାଦେଉଛି । ଏହାର ପୁନରୁଦ୍ଧାର ପାଇଁ ବାରମ୍ବାର ପ୍ରଶାସନୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।
ସୂଚନା ଅନୁସାରେ, ୧୦୨ ଏକର ପରିମିତ ବାବୁରକଟା ଜବରଦଖଲ ହୋଇ ଏବେ ମାତ୍ର ୨ ଏକର ଥିବ । ବାକିଜମି ଚାଷ ଜମି ପାଲଟିଛି । ଦିନ ଥିଲା ଏହି କଟାରେ ମାଛ ମାରି ଆଖପାଖ ଅଞ୍ଚଳର ଲୋକେ ନିଜ ଗୁଜରାଣ ମେଣ୍ଟାଉଥିଲେ ଏବଂ ଏହି କଟାର ପାଣି ଉପରେ ଲୋକେ ଧାନ ସହ ପନିପରିବା ଚାଷ ପାଇଁ ନିର୍ଭର କରୁଥିଲେ । ଏବେ କିନ୍ତୁ କଟାଟି ଶୁଖିଲା ପଡିଛି । ଏହି କଟାର ପୁନରୁଦ୍ଧାର ପାଇଁ ପ୍ରଶାସନର ଆନ୍ତରିକତା ନାହିଁ । କଟାଟି ବିଭିନ୍ନ ପ୍ରକାର ଦଳ ଓ ଘାସଲଟାରେ ଭର୍ତ୍ତି ହୋଇଥିବା ବେଳେ ପଙ୍କରେ ମଧ୍ୟ ପୋତି ହୋଇଗଲାଣି । ସେହିପରି କଟାର ଚତୁଃପାର୍ଶ୍ୱ ସଙ୍କୁୁଚିତ ହେଉଥିବା ବେଳେ ଜବରଦଖଲକାରୀ ମାଡିବସି ଚାଷ ଜମିରେ ପରିଣତ କଲେଣି । ବିରାଟକାୟ ଏହି ଐତିହାସିକ କଟାର ସୁରକ୍ଷା ପ୍ରତି ଦୃଷ୍ଟି ଦିଆ ନ ଗଲେ ଏହା ପୋତି ହୋଇଯିବା ସହ ସମ୍ପୂୂର୍ଣ୍ଣ ଭାବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯିବ ବୋଲି ବୃଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଅତାବିରା ତହସିଲଦାର ହୃଦାନନ୍ଦ ଅଡାଙ୍କୁ ପଚାରିବାରୁ ବାବୁରକଟାକୁ ଜବରଦଖଲମୁକ୍ତ କରାଯିବା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଥିଲେ ।