Categories: ଫୁରସତ

ଜଣଙ୍କର ଆଖି ନାହିଁ ତ ଆଉ ଜଣଙ୍କର ଗୋଡ, ତଥାପି ଲଙ୍ଘୁଛନ୍ତି ଗିରି

କୁହାଯାଏ ମନୋବଳ ଦୃଢ ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି। ସେଇକଥାକୁ ପ୍ରମାଣିତ କରିଦେଖେଇଛନ୍ତି ଦୁଇଜଣ ବନ୍ଧୁ। ସେ ହେଉଛନ୍ତି ମେଲାନୀ ନେକ୍ଟ ଓ ଟ୍ରେଭର୍‌ ହନ। ଏ ଦୁହେଁ ହେଉଛନ୍ତି ଦିବ୍ୟାଙ୍ଗ। ମେଲାନୀ ଚାଲିପାରୁ ନ ଥିବାବେଳେ ଟ୍ରେଭର୍‌ଙ୍କୁ ଦେଖାଯାଏନା। ହେଲେ ସେମାନେ ମିଶି ଏଭଳି କାମ କରି ଦେଖାଇଛନ୍ତି, ଯାହା ସୁସ୍ଥ ମଣିଷ ପକ୍ଷେ କରିବା ଅସମ୍ଭବ ମନେହୁଏ। କାରଣ ନିକଟରେ ଟ୍ରେଭର୍‌, ମେଲାନୀଙ୍କୁ ପିଠିରେ ଧରି କଲରାଡୋ ପାହାଡ ଚଢିଛନ୍ତି। ଏହି ଅଭିଯାନବେଳେ ମେଲାନୀ, ଟ୍ରେଭର୍‌ଙ୍କ ଆଖି ସାଜିଥିଲେ ଓ ଟ୍ରେଭର୍‌ ମେଲାନୀଙ୍କ ପାଇଁ ସାଜିଥିଲେ ଗୋଡ। ଏବେ ଦୁହେଁ ୧୪୦୦୦ ଫୁଟ ଉଚ୍ଚତାବିଶିଷ୍ଟ ପାହାଡ ଚଢିବାକୁ ଯୋଜନା କରିଛନ୍ତି। ମେଲାନୀ କହନ୍ତି, ‘ଆମେ ହେଉଛୁ ଦୁଇ ଜଣ। ହେଲେ ଆମର ଦୁଇ ଆଖି ଓ ଦୁଇ ଗୋଡ ଅଛି। ଆମ ମଧ୍ୟରେ ଥିବା ଉତ୍ତମ ତାଳମେଳ ଯୋଗୁ ହିଁ ମୁଁ ତାଙ୍କୁ ରାସ୍ତାର ବିବରଣୀ ପ୍ରଦାନ କଲେ ଟ୍ରେଭର୍‌ ତାରି ଅନୁସାରେ ଆଗକୁ ବଢି ଚାଲନ୍ତି।’ ମେଲାନୀ ଆହୁରି ମଧ୍ୟ କହନ୍ତି, ‘ମୁଁ ସ୍ପାଇନା ବିଫିଡା ନାମକ ରୋଗରେ ଆକ୍ରାନ୍ତ ହୋଇ ଜୀବନର ଦୀର୍ଘବର୍ଷ ହ୍ବିଲ୍‌ ଚେୟାରରେ ବିତାଇଛି। ଏବେ ଟ୍ରେଭର୍‌ଙ୍କ ସହ ପାହାଡ ବୁଲିବାବେଳେ ବହୁତ ଖୁସି ଲାଗୁଛି।’ ଅନ୍ୟପକ୍ଷେ ଟ୍ରେଭର୍‌ଙ୍କ ଦୃଷ୍ଟିଶକ୍ତି ଗ୍ଲୁକୋମା ପାଇଁ ଚାଲି ଯାଇଛି। ଏବେ ଦୁହେଁ ମିଶି ହାଇକିଂ କରୁଛନ୍ତି। ତେବେ ଦୁହିଁଙ୍କର ଦେଖା ଆଡପ୍ଟିଭ ଏକ୍ସରସାଇଜ୍‌ କ୍ଲାସ୍‌ରେ ହୋଇଥିଲା। ଏହାପରେ ସେମାନେ ମିଶି ପାହାଡ ଚଢିବା ଯୋଜନା କରିଥିଲେ। ଟ୍ରେଭର୍‌ କହନ୍ତି,‘ପାଦରେ ଚାଲି ଚାଲି ପାହାଡ ବୁଲିବାର ମଜା ଅଲଗା।’

Share