ଜଟଣୀରେ ଗୋରୁଚାଲାଣ ର଼୍ୟାକେଟ୍‌ ସକ୍ରିୟ : ଗୋରୁ ବୋଝେଇ ଗାଡ଼ି ଜବତ,୬ ଗିରଫ

ଜଟଣୀ,୯।୮(ଡ଼ି.ଏନ.ଏ.) : ଗୋରୁଚାଲାଣ ବେଳେ ଜଟଣୀ ପୋଲିସ ୩ଟି ଗାଡ଼ି ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛନ୍ତି। ଗାଡ଼ିରେ ଭର୍ତ୍ତି ହୋଇଥିବା ୩୮ଟି ଗାଈ ଉଦ୍ଧାର କରାଯାଇଛି। ରାତ୍ରିକାଳିନ ପାଟ୍ରୋଲିଂ ଓ ବ୍ଲକିଂ ସମୟରେ ୧୬ ନଂ. ଜାତୀୟ ରାଜପଥର ଗଙ୍ଗପଡ଼ା ନିକଟରୁ ବୁଧବାର ୩ଟି ଟାଟା ଏସିଇ ଗାଡ଼ି ଯାଞ୍ଚ ସମୟରେ ଏଥିରେ ଭର୍ତ୍ତି ହୋଇଥିବା ଗୋରୁ ଦେଖିବାକୁ ପାଇଥିଲେ। ଏହି ଗାଡ଼ି ଭିତରେ ନିର୍ଦ୍ଦୟ ଭାବେ ଖୁନ୍ଦା ଖୁନ୍ଦି କରି ଭର୍ତ୍ତି କରାଯାଇଥିବା ଗାଈଗୁଡ଼ିକୁ ଉଦ୍ଧାର କରି ଜଟଣୀରେ ଥିବା ଏକ ଗୋଶାଳାରେ ଛଡାଯାଇଛି। ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଆନ୍ଧ୍ରପ୍ରଦେଶ ଇଷ୍ଟ ଗୋଦାବରୀ ଜିଲା ଅନ୍ତର୍ଗତ ବିଭିନ୍ନ ଗ୍ରାମର କୁନ୍ଦୁଲାମନ୍ତ୍ରୀ ନାନୀ, ନାମାୟାଲୁ ୟାରାବାବୁ, କ୍ୟାପାୱାରେଷୁ ରାଜୁ, ଗନ୍ତା ରମେଶ, ଭିରପୁଲ୍ଲା ସିବା, ପ୍ରଗଡ଼ା ଭିଡ଼ିଭି ସତ୍ୟନାରାୟଣ। ଉଦ୍ଧାର ହୋଇଥିବା ଗାଈଗୁଡ଼ିକୁ କଲିକତାରୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ପଚରାଉଚୁରା ସମୟରେ ଗିରଫ ଅଭିଯୁକ୍ତମାନେ କହିଥିବା ଇନ୍ସପେକ୍ଟର ବିଶ୍ୱରଞ୍ଜନ ସାହୁ କହିଛନ୍ତି। ଏ ନେଇ ଜଟଣୀ ନଂ. ୨୯୧/୧୯ରେ ମାମଲା ରୁଜୁ ହୋଇଛି।
ଦୀର୍ଘଦିନ ହେବ ଜଟଣୀ ଅଞ୍ଚଳରେ ଗୋରୁ ଚୋର ଓ ଚାଲାଣକାରୀ ସକ୍ରିୟ ରହିଥିଲେ ମଧ୍ୟ ପୋଲିସ ଏହି ର଼୍ୟାକେଟ୍‌ ସଦସ୍ୟଙ୍କୁ ଧରି ପାରୁ ନ ଥିଲା। ଜଟଣୀ ସହର, ଗ୍ରାମାଞ୍ଚଳରେ ର଼୍ୟାକେଟ୍‌ର ସଦସ୍ୟମାନେ ବହୁ ସଂଖ୍ୟାରେ ଗୋରୁ ଚୋରି କରି ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ଏହି ର଼୍ୟାକେଟ୍‌ର ପ୍ରାଦୁର୍ଭାବରେ ଲୋକେ ଗାଈ ପାଳିବା ପ୍ରାୟ ଛାଡ଼ି ସାରିଲେଣି। ବିଭିନ୍ନ ରାସ୍ତାକଡ଼ ପଡ଼ିଆ ତଥା ଅନ୍ୟାନ୍ୟ ସ୍ଥାନରେ ରାତିରେ ରହୁଥିବା ଗୋରୁଙ୍କୁ ଏହି ର଼୍ୟାକେଟର ସଦସ୍ୟମାନେ ଚୋରି କରି ନେଉଥିଲେ। ଏପରି କି ଘର ଗୁହାଳରୁ ରାତିରେ ଗାଈ ଚୋରି ହୋଇଯାଉଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଥିଲା।
ସିସିଟିଭିରେ ଚୋରି ସମୟର ଦୃଶ୍ୟରୁ ଜଣାପଡିଛି ଏକ ଟାଟା ଏସିଇ ଗାଡ଼ି ଆସି ଲାଗୁଛି। ସେଥିରୁ ତଳକୁ ୨ ଜଣ ଓହ୍ଲାଉଛନ୍ତି। ଆଉ ଦୁଇଜଣ ଗାଡ଼ି ଉପରେ ରହୁଛନ୍ତି। ଓହ୍ଲାଇଥିବା ଦୁଇଜଣ ଏକ ଗାମୁଛାକୁ ଗୁଡ଼ାଇ ଶୋଇଥିବା ଏକ ଗାଈ ବେକରେ ପଘା ପକାଇଲା ପରି ପକାଇ ଟାଟା ଏସିଇ ଉପରକୁ ଚଢ଼ାଉଛନ୍ତି। ଉପରେ ଥିବା ୨ଜଣ ଗାଈ ଉଠାଇବାରେ ସହଯୋଗ କରୁଛନ୍ତି। ଅତି ନୃଶଂସ ଭାବେ ଗାଈଟିକୁ କିପରି ଗାଡ଼ି ଉପରକୁ ଚଢ଼ାଉଛନ୍ତି ସିସିଟିଭିରେ ଏହା କଏଦ ହୋଇଛି। ଜଟଣୀ କୁଦିଆରୀ ଅଞ୍ଚଳରେ ଥିବା ଏକ ପେଟ୍ରୋଲ ପମ୍ପରେ ଶୋଇଥିବା ଗାଈଙ୍କୁ ବୁଧବାର ବିଳମ୍ବିତ ରାତିରେ କିପରି ଗୋରୁ ଚାଲାଣକାରୀ ଚୋରି କରିନେବା ଦୃଶ୍ୟ ଏହି ଫିଲିଂ ଷ୍ଟେଶନରେ ଲାଗିଥିବା ସିସିଟିଭି କ୍ୟାମେରାରୁ ଦୃଶ୍ୟମାନ ହେଉଛି। ଏହି ସିସିଟିଭି ଫୁଟେଜ ଚାରିଆଡ଼େ ଭାଇରାଲ ମଧ୍ୟ ହୋଇଯାଇଛି। ପେଟ୍ରୋଲ ପମ୍ପର ମାଲିକ ତଥା ଜଟଣୀ ବ୍ୟବସାୟୀ ସଂଘର ସଭାପତି ସୁଦର୍ଶନ ସୁନ୍ଦରାୟ କୁହନ୍ତି, ରାତ୍ରି ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଗଲେ ଗୋରୁ ଚୋରି ବନ୍ଦ ହୋଇପାରିବ।