ଜଙ୍ଗଲକୁ ଶିକାର ପାଇଁ ଯିବା ସମୟରେ ଧରିଲା ବନ ବିଭାଗ: ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ

ସଜନାଗଡ଼,୨୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରେ ଦିନକୁ ଦିନ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ଶୁକ୍ରବାର ବିଳମ୍ବିତ ରାତିରେ ନୀଳଗିରି ଥାନା ଅଧୀନ କାଣ୍ଡଗରଡ଼ି ପଞ୍ଚାୟତ ଖଳିଆ ଗ୍ରାମର ଶୀଳଳ ସିଂ ଶିକାର ପାଇଁ ଯାଉଥିବା ବେଳେ ପଞ୍ଚଲିଙ୍ଗେଶ୍ୱରର ସନ୍ତରାଗଡ଼ିଆ ବିଟ୍‌ ଅଧୀନ ଚୁଆମୁହଁ ନିକଟରୁ କୁଲଡିହା ବନ ବିଭାଗ ହାତରେ ଧରାପଡ଼ିଛନ୍ତି। ତାଙ୍କ ନିକଟରୁ ଗୋଳାବାରୁଦ, ଟର୍ଚ୍ଚ, କଟୁରି ଆଦି ଜବତ କରାଯାଇଛି। ଶୀଳତଙ୍କ ନାମରେ ୩୫/୨୦ରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। ଏହି ଚଢ଼ାଉରେ ଫରେଷ୍ଟର ରାମେଶ୍ୱର ମୁର୍ମୁ, ଫରେଷ୍ଟଗାର୍ଡ ଜ୍ୟୋତ୍ସ୍ନା ଦତ୍ତ ଏବଂ ସବୁଜ ବାହିନୀ ଉପସ୍ଥିତ ଥିଲେ।