ଜଗନ୍ନାଥ ମହାପ୍ରଭଙ୍କୁ ନାମରେ ଥିବା ଜମି ଦଖଲକଲେ ଗ୍ରାମବାସୀ: ଗାଁରେ ଚାପା ଉତ୍ତେଜନା

ଅତାବିରା,୧୬।୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଉଦେପୁର ଗ୍ରାମବାସୀଙ୍କୁ ଦୀର୍ଘବର୍ଷ ଧରି ଅନ୍ଧାରରେ ରଖି ଗ୍ରାମର ଜଗନ୍ନାଥ ମନ୍ଦିର ମହାପ୍ରଭୁଙ୍କ ନାମରେ ଥିବା ଜମିକୁ ଗ୍ରାମର କେତେଜଣ ବ୍ୟକ୍ତି କବ୍‌ଜା କରିଥିଲେ। ଗ୍ରାମବାସୀ ମହାପ୍ରଭୁଙ୍କ ନାମରେ ଥିବା ଏହି ଜମିକୁ ଚିହ୍ନଟ କରିଥିଲେ। ଦେଶଭଟିଲି ଆରଆଇ କର୍ମଚାରୀମାନେ ଜମିକୁ ମଧ୍ୟ ଚିହ୍ନଟ କରିଥିଲେ। ପରେ ଦେବୋତ୍ତର ବିଭାଗଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଥିଲା। ଟ୍ରଷ୍ଟବୋର୍ଡ ପୋଲିସ ପ୍ରଶାସନଙ୍କୁ ମଧ୍ୟ ଏନେଇ ଅବଗତ କରିଥିଲେ। ପୋଲିସ ପ୍ରଶାସନ ତୁରନ୍ତ ସମାଧାନ କରି ପାରି ନ ଥିବାରୁ ଗ୍ରାମବାସୀ ଓ ଜବରଦଖଲକାରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ଟ୍ରଷ୍ଟ ବୋର୍ଡ ଓ ଗ୍ରାମବାସୀଙ୍କ ମଧ୍ୟରେ ଜାନୁୟାରୀରେ ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟବୋର୍ଡ ଓ ଗ୍ରାମବାସୀ ଏହି ଜମିକୁ ସୁନା ପୋଢ଼ ନାମକ ଜଣେ ବ୍ୟକ୍ତିଙ୍କୁ ନିଲାମରେ ଦେଇଥିଲେ। ହେଲେ ପୂର୍ବରୁ ଜବରଦଖଲ କରି ଆସୁଥିବା ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଗ୍ରାମବାସୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଜବରଦଖଲକାରୀ ବିଭିନ୍ନ ସମୟରେ ଟ୍ରଷ୍ଟବୋର୍ଡ ସଦସ୍ୟମାନଙ୍କୁ ହତ୍ୟା ଧମକ ଦେଇଥିବା ଘଟଣା ପୋଲିସରେ ଅଭିଯୋଗ ହୋଇଥିଲା। ହେଲେ ପୋଲିସ ପ୍ରଶାସନ ସମାଧାନ କରି ନ ପାରିବାରୁ ରବିବାର ସକାଳେ ଗ୍ରାମର ଶତାଧିକ ମହିଳା, ପୁରୁଷ ଏକଜୁଟ୍‌ ହୋଇ ଜଗନ୍ନାଥ ମହାପ୍ରଭୁ ଓ ଲକ୍ଷ୍ମୀନାରାୟଣ ମହାପ୍ରଭୁଙ୍କ ନାମରେ ଥିବା ୪ ଏକର ୭୨ଡେସିମିଲି ଜମିରେ ଧାନ ରୋଇଛନ୍ତି। ଏନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି। ଯେ କୌଣସି ସମୟରେ ଅଘଟଣ ଘଟିବା ଆଶଙ୍କା ଥିବାରୁ ପୋଲିସ ମୁତୟନ ପାଇଁ ସଚେତନ ମହଲରେ ଦାବି ହେଉଛି। ଏ ବିଷୟରେ ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧିକାରୀ ଗଣେଶ କଲେତଙ୍କୁ ପଚରାଯିବାରୁ ଉଭୟପକ୍ଷଙ୍କୁ ଡକାଇ ସମାଧାନ ପାଇଁ ଚେଷ୍ଟା ଚାଲିଛି ବୋଲି କହିଥିଲେ।