Categories: ଭଦ୍ରକ

ଜଗତକଲ୍ୟାଣ ଲାଗି ଆରଡ଼ିରେ ମହାରୁଦ୍ରଯଜ୍ଞ

ଆରଡି, ୩୧ା୩(ଡି.ଏନ.ଏ.)-କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଘରୁ ନ ବାହାରିବାକୁ କୁହାଯାଇଛି। ଏପରିପ୍ରେକ୍ଷୀରେ ସବୁ ଧର୍ମାନୁଷ୍ଠାନ ମନ୍ଦିର ମଧ୍ୟ ବନ୍ଦ ହୋଇଛି। ଭକ୍ତମାନେ ଆଉ ଦର୍ଶନ କରିବାକୁ ଯାଇପାରୁ ନାହାନ୍ତି। ଭଦ୍ରକ ଜିଲାର ଶୈବପୀଠ ଆରଡିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ମଧ୍ୟ ଏକପ୍ରକାର ଶୂନଶାନ ହୋଇଯାଇଛି। ୧୦ ଦିନ ପରେ ସୋମବାର ସେବାୟତମାନେ ମନ୍ଦିର ପରିସରରେ ମହାରୁଦ୍ର ଯଜ୍ଞ ଆୟୋଜନ କରିଛନ୍ତି। ଜଗତକଲ୍ୟାଣ ଉଦ୍ଦେଶ୍ୟ ଓ କରୋନା ପ୍ରଭାବକୁ ନିଷ୍କ୍ରିୟ କରିବାକୁ ସେବାୟତମାନେ ସକାଳଠାରୁ ରାତି ପର୍ଯ୍ୟନ୍ତ ଘୃତାହୂତି ଦେଇଥିଲେ। ଅତୀତରେ ଏହିଭଳି ଜଗତକୁ ବିପଦ ସମୟରେ ଏଠାରେ ବହୁବାର ମହାରୁଦ୍ରଯଜ୍ଞ ଆୟୋଜନ କରାଯାଇ ଘୃତାହୂତି ଦିଆଯାଇଥିଲା। ଏଥର ମଧ୍ୟ କରୋନା ପ୍ରଭାବରୁ ଦେଶ ତଥା ବିଶ୍ୱ ମୁକ୍ତ ହେବ ବୋଲି ସେବାୟତମାନେ ଆଶା ରଖିଛନ୍ତି ବୋଲି କହିଛନ୍ତି।