Categories: ମେଟ୍ରୋ

ଛେଳିପଲ ଉଜାଡ଼ିଲେ କାକୁଡ଼ି ଫସଲ:ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଆଠଗଡ଼,୨୮।୫(ସ୍ବ.ପ୍ର.): କଟକ ଜିଲା ବାଙ୍କୀ ଥାନା ଅଧୀନ ଉପର ବାଙ୍କୀ ମାଳବିହାରପୁର ଗ୍ରାମରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ସୋମବାର ରାତି ପ୍ରାୟ ୯ଟା ୩୦ରେ ଏହି ଘଟଣା ଘଟିଛି। ଏ ନେଇ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଗ୍ରାମବାସୀ ଓ ମେଡିକାଲ ସୂତ୍ରରୁ ଖବର ପାଇ ପୋଲିସ ହତ୍ୟାକାରୀ ଯୁବକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ମାଳ ବିହାରପୁର ସବର ସହିର ନଣ୍ଡା ଦେହୁରିଙ୍କ ଛେଳିପଲ ପଡ଼ୋଶୀ ସ୍ବର୍ଗତ ସମୀର ଖଟୁଆଙ୍କ ବାଡ଼ିରେ ପଶି କାକୁଡ଼ି ଫସଲ ନଷ୍ଟ କରୁଥିଲେ। ଏହା ଦେଖି ଛେଳିପଲଙ୍କୁ ଘଉଡ଼ାଇ ଆଣି ଆକଟ କରି ରଖିବା ପାଇଁ ସମୀରଙ୍କ ସ୍ତ୍ରୀ ମାମି ଖଟୁଆ (୪୦) ନଣ୍ଡାଙ୍କୁ କହିଥିଲେ। ଏଥିରେ ନଣ୍ଡା ଉତ୍‌କ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ମାମିଙ୍କ ମୁଣ୍ଡକୁ ଚୋଟ ମାରିଥିଲେ। ଫଳରେ ମାମି ଘଟଣାସ୍ଥଳରେ ରକ୍ତଜୁଡ଼ୁବୁଡ଼ୁ ହୋଇ ପଡ଼ି ରହିଥିଲେ। ଏହା ଦେଖି ଗ୍ରାମବାସୀ ନଣ୍ଡାଙ୍କୁ ଘଟଣାସ୍ଥଳରୁ ଗଁା କୋଠଘରେ କାବୁ କରିଥିଲେ। ମାମିଙ୍କୁ ଉଦ୍ଧାର କରି ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସରଣ୍ଡା ଫାଣ୍ଡି ପୋଲିସ ମାଳିବିହାରପୁରରୁ ନଣ୍ଡାଙ୍କୁ ନେଇ ବାଙ୍କୀ ଥାନାରେ ଅଟକ ରଖିଛି। ଆକ୍ରମଣ ସମୟରେ ମାମିଙ୍କୁ ରକ୍ଷା କରିବାକୁ ଯାଇ ସେହି ଗ୍ରାମର କୃପାସିନ୍ଧୁ ଜେନା ଆହତ ହୋଇଛନ୍ତି।