Categories: ବାଣିଜ୍ୟ

ଛିଡା ହୋଇଛି ୩.୫ ଲକ୍ଷ ଟ୍ରକ

ନୂଆଦିଲ୍ଲୀ,୧୦।୪: ଆନ୍ତଃରାଜ୍ୟ ପରିବହନ ସେବାରେ ରହିଥିବା ପ୍ରାୟ ୩.୫ ଲକ୍ଷ ଟ୍ରକ ଏବେ ଲକ୍‌ଡାଉନ କଟକଣା ଲାଗି ଛିଡା ହୋଇ ରହିଛି। ପ୍ରାୟ ୩୫ ହଜାର କୋଟି ଟଙ୍କାର ସାମଗ୍ରୀ ଟ୍ରକରେ ଲୋଡିଂ ହୋଇ ରହିଥିବା ବେଳେ କଟକଣା ଯୋଗୁ ସେଗୁଡିକ ଛିଡା ହୋଇ ରହିଛି। ଫଳରେ ବୃହତ୍ତ ପରିମାଣର ସାମଗ୍ରୀ ପରିବହନରେ ବାଧା ଉପୁଜିଥିବା ଘଟଣା ସାମ୍ନାକୁ ଆସିଛି। ଟ୍ରକଗୁଡିକ ରାସ୍ତା ପାର୍ଶ୍ୱ, ମାନୁଫାକଚରିଂ ଫ୍ୟାକ୍ଟ୍ରି ବାହାରେ କିମ୍ବା ଗୋଦାମଗୁଡିକରେ ଛିଡା ହୋଇ ରହିଛି ବୋଲି ପରିବହନ ସଂଘଗୁଡିକ ପକ୍ଷରୁ ସୂଚନା ରହିଛି। ଟ୍ରକଗୁଡିକରେ କାର, ଏସ୍‌ୟୁଭି, ଦୁଇ ଚକିଆ ଯାନ, ଇଲେକଟ୍ରୋନିକ୍ସ ସାମଗ୍ରୀ, ଶିଳ୍ପ ପାଇଁ କଞ୍ଚାମାଲ, କେମିକାଲ୍ସ, ଇସ୍ପାତ ଏବଂ ସିମେଣ୍ଟ ପରିବହନ ନ ହୋଇ ପଡି ରହିଛି। ଏହି ସାମଗ୍ରୀଗୁଡିକୁ ବିଭିନ୍ନ ସ୍ଥାନରେ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ବିଭିନ୍ନ ସ୍ଥାନରେ ଚାଳକମାନଙ୍କୁ ମଧ୍ୟ ଅସୁବିଧା ହେଉଥିବାରୁ ସେମାନେ ଟ୍ରକ ଗୋଦାମରେ ଛାଡି ପଳାଇଛନ୍ତି। କେତେକ ସ୍ଥାନରେ ଟ୍ରକ ସାମଗ୍ରୀ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସହାୟକ ଷ୍ଟାଫ ନ ଥିବା ଯୋଗୁ କାଢିବା ସମ୍ଭବ ହେଉ ନାହିଁ।ଏଭଳି ସ୍ଥିତିରେ ସରକାର କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କର୍ପୋରେଶନର ସଭାପତି କେ.ଏସ୍‌. ଅଟଓ୍ବାଲ ନିବେଦନ କରିଛନ୍ତି। ସେହିଭଳି ଟ୍ରକର୍ସ ମାନଙ୍କ ଲାଗି ବେଲ୍‌ଆଉଟ ପ୍ୟାକେଜ ସରକାର ପ୍ରଦାନ କରନ୍ତୁ ବୋଲି ଦାବି ହୋଇଛି।

Share