ଛାତ ପଡ଼ି ଶ୍ରମିକଙ୍କ ଜୀବନ ଗଲା

ବଲାଙ୍ଗୀର ଅଫିସ,୧୩ା୭: ବଲାଙ୍ଗୀର ସହର ତୁଲସୀନଗର ପଡ଼ାରେ ଏକ ଅଘଟଣ ଘଟିଛି। ସେଣ୍ଟ୍ରିଂ ଖୋଲୁଥିବା ବେଳେ ଘର ଛାତ ପଡ଼ି ଜଣେ ଶ୍ରମିକଙ୍କ ଜୀବନ ଯାଇଛି।
ସୂଚନାଯୋଗ୍ୟ, ତୁଳସୀନଗର ପଡ଼ାର ରବି ନାରାୟଣ ମିଶ୍ରଙ୍କ ପୁରୁଣା ଘର ମୁଖ୍ୟଦ୍ୱାରରେ ଏକ ନୂଆ ଛାତ ପକାଯାଇଥିଲା। ସୋମବାର ପୂର୍ବାହ୍ନରେ ସୁର୍ଡା ଗାଁର ଶ୍ରମିକ ସାଧୁଚରଣ ନାଏକ ସେଣ୍ଟ୍ରିଂ ଖୋଲୁଥିବା ସମୟରେ ହଠାତ ଛାତ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଛି। କେଉଁ କାରଣରୁ ସାଧୁଙ୍କର ମୃତ୍ୟୁ ଘଟିଲା ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଟାଉନ ଥାନାଧିକାରୀ ସଂଗ୍ରାମ ପଟ୍ଟନାୟକ ସୂଚନା ଦେଇଛନ୍ତି।