ଛାତ୍ରୀ ଅଶ୍ଳୀଳ ଭିଡ଼ିଓ ଶୁଟିଂ ଘଟଣା: ତାଳସାରୀରେ ମହିଳା, ପୁରୁଷଙ୍କ ମେଳି

ଭୋଗରାଇ, ୪।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଶାରୀରିକ ନିର୍ଯାତନା, ଅଶ୍ଳୀଳ ଭିଡ଼ିଓ ଶୁଟିଂ ଓ ବ୍ଲାକମେଲିଂ ଘଟଣାରେ ମାସେ ବିତିଥିଲେ ମଧ୍ୟ ଅଦ୍ୟାବଧି ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହୋଇଛି। ଏହାର ପ୍ରତିବାଦରେ ସମଗ୍ର ଭୋଗରାଇ ଅଞ୍ଚଳରେ ଆନ୍ଦୋଳନ ତେଜିବାରେ ଲାଗିଛି। ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଅବିଳମ୍ବେ ଗିରଫ କରିବା, ବେଳାଭୂମିରେ ସାମାଜିକ ନିରାପତ୍ତା ସୁରକ୍ଷା ରଖିବା, ମଦ ଓ ମାଦକଦ୍ରବ୍ୟ ପ୍ରସାର ଓ ପ୍ରଚାର ବନ୍ଦ କରିବା, ବେଆଇନ ବାଇକ ଚାଳନା ବନ୍ଦ ରଖିବା ସହ ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଦେବା, ତାଳସାରୀରେ ଉଜ୍ଜ୍ୱଳ ଆଲୋକ ଯୋଗାଇଦେବା, ବେଳାଭୂମିର ଉନ୍ନତି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ଅନୁଦାନ ଯୋଗାଇଦେବା ଆଦି ଦାବି ନେଇ ମଙ୍ଗଳବାର ତାଳସାରୀ ହେଲିପ୍ୟାଡ଼ ପଡ଼ିଆରେ ହୁଗୁଳି, ଗୋଛିଦାତେଘରୀ ଓ ସାହାବାଜିପୁର ପଞ୍ଚାୟତର ୮ଟି ଗ୍ରାମର ୫ଶହରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ମେଳି କରିଛନ୍ତି। ଏହି ମେଳିରେ ପୂର୍ବତନ ବ୍ଲକ ଚେୟାରମ୍ୟାନ୍‌ ଗଣପତି ଗିରିଙ୍କ ଅଧ୍ୟକ୍ଷତା କରିଥିଲେ। ମହାମାୟା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ମମତା ଦାସ, ସମ୍ପାଦିକା କାଜଲ ଗଙ୍ଗେଇ, ସାମାଜିକ କର୍ମୀ ରବୀନ ସେନ, ସୁରେନ୍ଦ୍ର ଗଙ୍ଗେଇ, ଗୋପାଳ ଲାୟା, ପୁଣ୍ଡରୀ ଲାୟା, ବନମାଳି ପାଳ, ଗୋବିନ୍ଦ ଦାସ, ଅରୁଣ ଗିରି, ଖଗେନ୍ଦ୍ର ପାତ୍ର ପ୍ରମୁଖ ଜନ ଆନ୍ଦୋଳନ ପାଇଁ ଆହ୍ବାନ ଦେଇଛନ୍ତି। ଆସନ୍ତା ୭ଦିନ ମଧ୍ୟରେ ସମ୍ପୃକ୍ତ ଥିବା ଅପରାଧୀଙ୍କୁ ଗିରଫ କରା ନ ଗଲେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଛାତ୍ରୀଙ୍କ ଶାରୀରିକ ନିର୍ଯାତନା ଓ ଭିଡ଼ିଓ ଭାଇରାଲ ଘଟଣାରେ ଜନଜୀବନ ସୁରକ୍ଷା ମଞ୍ଚ ପକ୍ଷରୁ ଲଗାତର ଆନ୍ଦୋଳନ ଜାରି ରହିଛି। ପୋଲିସ ବିନ୍ଧାପଦ୍ମପୁର ଗ୍ରାମର ତାପସ ମଣ୍ଡଳ (୨୨)ଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଳମ୍ବ କରୁଥିବାରୁ ଅସନ୍ତୋଷ ତେଜିବାରେ ଲାଗିଛି।