ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ସ୍କୁଲ ଆଗରେ ମୃତଦେହ ରଖି ପ୍ରତିବାଦ

କେନ୍ଦୁଝର,୨୧।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ମସିଣାଯୋଡ଼ି ଏଜୁକେଶନାଲ କମ୍ପ୍ଲେକ୍ସ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମା ଜୁଆଙ୍ଗଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହଷ୍ଟେଲରେ ରହି ପଢୁଥିବା ପଦ୍ମାଙ୍କ ୍‌ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ୍ୟୁ ପରେ ସ୍କୁଲ କର୍ତ୍ତୃପକ୍ଷ ପଦ୍ମାଙ୍କ ମୃତଦେହକୁ ଘର ବାରଣ୍ଡାରେ ଛାଡ଼ି ଚାଲିଯାଇଥିଲେ। ଏପରିକି କୌଣସି ମେଡିକାଲ ରିପୋର୍ଟ ଦେଇ ନ ଥିଲେ। ଫଳରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସ୍କୁଲ ଆଗରେ ମୃତଦେହ ରଖି ଗାଁ ଲୋକେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଛନ୍ତି। ପଣ୍ଡାପଡ଼ା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ପଠାଇ ପରିବାର ଲୋକଙ୍କ ସହ ଆଲୋଚନା ଜାରି ରଖିଛି। ପଣ୍ଡାପଡା ଥାନା ଅଧିକାରୀ ପଦ୍ମାଳୟା ସାହୁ କହିଛନ୍ତି ଯେ, ଗତ ୧୭ ତାରିଖରେ ପଦ୍ମାଙ୍କ ଝାଡାବାନ୍ତି ହୋଇଥିଲା। ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାର ତଦନ୍ତ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି।