ଛାତ୍ରୀଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା

ବ୍ରହ୍ମପୁର ଅଫିସ,୮ା୧୦: ଜଣେ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ବଡବଜାର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ପୁରୁଣା ବ୍ରହ୍ମପୁର ଅଞ୍ଚଳର କାର୍ତ୍ତିକ ସେଠୀ। ତାଙ୍କ ଠାରୁ ଏକ ମୋବାଇଲ ଫୋନ ଜବତ କରାଯାଇଛି। ମାମଲା ନଂ.୨୦୭/୨୧ରେ ଅଭିଯୁକ୍ତଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁସାରେ, କାର୍ତ୍ତିକ ସମ୍ପୃକ୍ତା ଯୁବତୀ ଛାତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ। ତାଙ୍କୁ ବିବାହ କରିବା ପାଇଁ ବାରମ୍ବାର ଅନୁରୋଧ କରି ବିଫଳ ହେବାରୁ ପ୍ରତିଶୋଧ ପରାୟଣ ହୋଇ ଛାତ୍ରୀଙ୍କ ଫଟୋ ଫେସବୁକରେ ଅପଲୋଡ କରିବେ ବୋଲିି ଧମକ ଦେଉଥିଲେ। ନିକଟରେ ଛାତ୍ରୀଙ୍କ ଅନ୍ୟତ୍ର ବିବାହ ପାଇଁ ସ୍ଥିର ହୋଇଥିବା ବେଳେ କାର୍ତ୍ତିକ ଚକ୍ରାନ୍ତ କରି ଉକ୍ତ ପ୍ରସ୍ତାବ ଭାଙ୍ଗି ଦେଇଥିଲେ। ନିଜ ନାଁରେ ବଦନାମ ଶୁଣି ମାନସିକ ସ୍ତରରେ ଭାଙ୍ଗି ପଡ଼ିିଥିବା ଛାତ୍ରୀ ଜଣଙ୍କ ଏ ନେଇ ବଡବଜାର ଥାନାରେ ଅଭିଯୋଗ କରିଛନ୍ତି।