ଛାତ୍ରଙ୍କୁ ମାଡ଼ମାରି ରାସ୍ତାରେ ଆଣ୍ଠେଇ ଆଣ୍ଠେଇ ଚଲାଇବା ଘଟଣା : ୨ ଅଭିଯୁକ୍ତ ଗିରଫ

ଖଲିକୋଟ,୨୧।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲିକୋଟସ୍ଥିତ ରାମଚନ୍ଦ୍ର ବିଜ୍ଞାନ ମହାବିଦ୍ୟାଳୟ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ର ପ୍ରମୋଦ କୁମାର ଶବରଙ୍କୁ ବୁଧବାର ଅପରାହ୍ନରେ ଖଲିକୋଟ ବଜାର ମଝିରେ ମାଡ଼ ମାରିବା ସହ କାନଧରି ଆଣ୍ଠେଇ ଆଣ୍ଠେଇ ଚଲାଇଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ଏନେଇ ପ୍ରମୋଦଙ୍କ ବାପା କବିଚନ୍ଦ୍ର ଶବର ତାଙ୍କ ନିଜ ଗ୍ରାମ ବାଦପଲି ପଞ୍ଚାୟତ ମରେଇ ନୂଆଗାଁର ଶତାଧିକ ଗ୍ରାମବାସୀ ଗୁରୁବାର ଖଲିକୋଟ ଥାନାକୁ ଆସି ତୀବ୍ର ପ୍ରତିବାଦ କରିଥିଲେ। ଏହି ଘଟଣାରେ ଖଲିକୋଟ ଆଇଆଇସି ସତ୍ୟରଞ୍ଜନ ପ୍ରଧାନ, ଏସ୍‌ଆଇ ସିଲୁ ଧଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି।
ସୂଚନାଯୋଗ୍ୟ, ପ୍ରମୋଦ କିଛିଦିନ ତଳେ ଜଣେ ଛାତ୍ରୀଙ୍କୁ କମେଣ୍ଟ ମାରିଥିବା ନେଇ ଅଭିଯୋଗ ହୋଇଥିଲା। ଏଥିରେ ଛାତ୍ରୀଙ୍କ ପରିବାର ଲୋକେ ଆସି ପ୍ରମୋଦଙ୍କୁ ଡାକି ନେଇ ମାଡ଼ ମାରିଥିବା ଏତଲାରେ ଦର୍ଶାଯାଇଛି।