ଛତିଶଗଡରୁ ସାଇକେଲରେ ଫେରୁଛନ୍ତି ୪ ଓଡିଆ ଶ୍ରମିକ

ସୋନପୁର,୧୯।୪(ନି.ପ୍ର.): କରୋନା ଭୂତାଣୁ ସଂକମ୍ରଣକୁ ରୋକିବା ପାଇଁ ଲକ୍‌ଡାଉନ୍‌ରେ ରହିଛି ସାରା ଦେଶ। ଏହାର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି। ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକ କର୍ମସଂସ୍ଥାନ ହରାଇ ବହୁ ଦୁଃଖରେ ଅଛନ୍ତି। ଶ୍ରମିକଙ୍କ ନିକଟରେ କରୋନାର କାରୁଣ୍ୟ ଚିତ୍ର ଶନିବାର ଦେଖିବାକୁ ମିଳିଥିଲା। ଲକ୍‌ଡାଉନ୍‌ ସମୟରେ ପୁରୀ ଜିଲା କୋଣାର୍କ ଅଞ୍ଚଳର ୪ ଯୁବକ ଭୋକିଲା ପେଟରେ ଛତିଶଗଡରୁ ସାଇକେଲ ଯୋଗେ ନିଜ ଘରକୁ ଫେରୁଛନ୍ତି। କୋଣାର୍କର ତ୍ରିଲୋଚନ ବିଶ୍ୱାଳ, ସିଦ୍ଧାନ୍ତ ସାହୁ, ଲାଲୁ ପ୍ରସାଦ ସେଠୀ ଓ ଦେବେନ୍ଦ୍ର ବିଶ୍ୱାଳ ଛତିଶଗଡର ବିଳାସପୁର ସ୍ଥିତ ଏକ ପୁଟି ଶିଳ୍ପାନୁଷ୍ଠାନରେ କାମ କରୁଥିଲେ। ଲକ୍‌ଡାଉନ୍‌ ଯୋଗୁଁ ଶିଳ୍ପାନଷ୍ଠାନଟି ବନ୍ଦ ରହିଛି। ଶ୍ରମିକମାନେ ୨ ମାସର ଦରମା ପାଇ ନାହାନ୍ତି। ଖାଇବାକୁ ନ ପାଇ ଭୋକରେ ରହିବାକୁ ପଡିଥିଲା। ତେଣୁ ଶ୍ରମିକଙ୍କୁ ଯିବା ଆସିବା ପାଇଁ କମ୍ପାନୀ ଦେଇଥିବା ସାଇକେଲରେ ଘରକୁ ଫେରିବା ପାଇଁ ସେମାନେ ନିଷ୍ପତ୍ତି ନେଇଥିଲେ। ଦିନକୁ ୧୦୦କିଲୋମିଟର ସାଇକେଲରେ ଯାଉଛନ୍ତି । ୩ ଦିନରେ ବରଗଡ ଜିଲା ବରପାଲି ରାସ୍ତା ଦେଇ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁରରେ ପହଞ୍ଚତ୍ଥିଲେ। ରାସ୍ତା ପାର୍ଶ୍ୱ ଏକ ଗଛ ମୂଳରେ ବିଶ୍ରାମ ନେଉଥିଲା ବେଳେ ସ୍ଥାନୀୟ କେତେକ ସ୍ବେଚ୍ଛାସେବୀ ଶ୍ରମିକମାନଙ୍କୁ ରନ୍ଧା ଖାଦ୍ୟ ଦେଇଥିଲେ। ଏ ସମ୍ପର୍କରେ ଶ୍ରମିକ ତ୍ରିଲୋଚନ କୁହନ୍ତି, କର୍ମ ନିଯୁକ୍ତି ବନ୍ଦ, ଭୋକରେ ବାହାର ରାଜ୍ୟରେ ରହିବା ଅପେକ୍ଷା ସାଇକେଲରେ ଘରକୁ ଯିବା ପାଇଁ ନିଷ୍ପତ୍ତି ନେଲୁ। ଭୋକରେ ଥିଲୁ, ଓଡିଶା ସୀମାରେ ପହଞ୍ଚତ୍ଲା ପରେ କେତେକ ସହୃଦୟ ବ୍ୟକ୍ତି ବିସ୍କୁଟ୍‌ ଆଦି ଖାଇବାକୁ ଦେଉଛନ୍ତି ବୋଲି କହିଥିଲେ ।