ଚ୍ୟାଲେଞ୍ଜ୍‌ ଦେବେ ବିଶ୍ୱରୂପ

ଚଳଚ୍ଚିତ୍ରର ନାୟକ ସାଜିଥିବା କଳାକାରଙ୍କ ନାମ ଯାହା ଫିଲ୍ମର ଟାଇଟଲ ମଧ୍ୟ ସେଇଆ। ସେ ହେଲେ ବିଶ୍ୱରୂପ। ରିଲିଜ ଅପେକ୍ଷାରେ ଥିବା ଆକ୍ସନଭିତ୍ତିକ ଓଡିଆ ସିନେମା ‘ବିଶ୍ୱରୂପ-ବର୍ନ ଟୁ ଫାଇଟ୍‌’ର ନାୟକ ସାଜିଛନ୍ତି ସେ। ଜଣେ ଫାଇଟର କିପରି ବିଭିନ୍ନ ପ୍ରକାର ଝଡ଼ଝଞ୍ଜାକୁ ସାମ୍‌ନା କରି ନିଜ ଲକ୍ଷ୍ୟପଥରେ ଅଗ୍ରସର ହେଉଛି, ତାହାକୁ ନେଇ କାହାଣୀ ଗତିଶୀଳ। ଆଉ ନିଜର ଡେବ୍ୟୁ ସିନେମାରେ ହିଁ ତାଙ୍କୁ ଏକ ଚ୍ୟାଲେଞ୍ଜିଂ ଚରିତ୍ର ମିଳିଛି। ଏ.ବି. କ୍ରିଏଶନ୍ସ ବ୍ୟାନରରେ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ବିଶ୍ୱଜିତ ମିଶ୍ର। ଅନ୍ୟପକ୍ଷରେ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ‘ପ୍ରେମ ନିଶା ନିଆରା ନିଆରା’, ‘ତୋ ପ୍ରେମରେ ପଡିଲା ପରେ’ ଏବଂ ‘ଚାଲ୍‌ ଟିକେ ପ୍ରେମ କରିବା’ର ନିର୍ଦ୍ଦେଶକ ସରୋଜକାନ୍ତ। ମନୋରଞ୍ଜନ ଦାସ ସଂଳାପ ରଚନା କରିଥିବା ବେଳେ ଗୀତଗୁଡିକୁ ସ୍ବର ଦେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ। ଏହି ଫିଲ୍ମରେ ବିଶ୍ୱରୂପଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ନବାଗତା ତନୁଷ୍କା। ତେବେ ଫିଲ୍ମର ସଫଳତାକୁ ନେଇ ବିଶ୍ୱରୂପ ଯେଉଁ ଆଶା ରଖିଛନ୍ତି ତାହା କେତେ ସଫଳ ହେଉଛି, ଚଳଚ୍ଚିତ୍ରଟି ରିଲିଜ ହେଲେ ହିଁ ଜଣାପଡ଼ିବ।

Share