ଚୌଦ୍ୱାର ଫରେଷ୍ଟରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ : ଥାନା ଦ୍ୱାରସ୍ଥ ହେଲେ ମହିଳା କର୍ମଚାରୀ

ଚୌଦ୍ୱାର,୨ା୯(ଡି.ଏନ୍‌.ଏ.) : ଚୌଦ୍ୱାର ଫରେଷ୍ଟର ଜ୍ୟୋତିରଞ୍ଜନ ମହାପାତ୍ର କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦେଇଥିବା ନେଇ ଶନିବାର ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା(ନଂ.୨୯୧/୧୯) ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ସ୍ବାମୀ ବନ ବିଭାଗରେ କାମ କରୁଥିଲେ। ହାତୀ ଆକ୍ରମଣରେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଥଇଥାନ ଯୋଜନାରେ ବନ ବିଭାଗରେ ତାଙ୍କୁ ଓ୍ବାଚର ଭାବେ ନିଯୁକ୍ତି ଦିଆଯାଇଥିଲା। ପ୍ରାୟ ୫ବର୍ଷ ହେଲା ସେ କାର୍ଯ୍ୟ କରୁଥିବାବେଳେ ବର୍ତ୍ତମାନର ଫରେଷ୍ଟର ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି। ଏଣୁ ସେ ନିଜକୁ ସୁରକ୍ଷିତ ମଣୁ ନ ଥିବା ଦର୍ଶାଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଚୌଦ୍ୱାର ଫରେଷ୍ଟ ସେକ୍ସନର ୧୫ରୁ ଊର୍ଦ୍ଧ୍ୱ ଅସ୍ଥାୟୀ କର୍ମଚାରୀ ରବିବାର ସନ୍ଧ୍ୟାରେ ଚୌଦ୍ୱାର ଥାନାରେ ଉକ୍ତ ଫରେଷ୍ଟରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଫରେଷ୍ଟର ଛୋଟଛୋଟ କଥାକୁ ନେଇ କର୍ମଚାରୀମାନଙ୍କୁ ଗାଳିଗୁଲଜ କରୁଛନ୍ତି। ଏହାର ପ୍ରତିବାଦ କଲେ ଚାକିରିରୁ ବହିସ୍କାର କରିଦେବାକୁ ଧମକ ଦେଉଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏ ନେଇ ଫରେଷ୍ଟରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମୋବାଇଲ ଫୋନ୍‌ ସୁଇଚ ଅଫ୍‌ ଥିଲା। ତେବେ ଏହି ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ଏସିଏଫ ମନୋରଞ୍ଜନ ସ୍ବାଇଁଁ କହିଛନ୍ତି।