ଚୋର ସନ୍ଦେହରେ ଦୁଇ ଥାନାରେ ଅଟକ

ବିଞ୍ଝାରପୁର,୨୫ା୧୦(ଡି.ଏନ୍‌.ଏ.): ଚୋର ସନ୍ଦେହରେ ଦୁଇ ଜଣ ଅଚିହ୍ନା ଯୁବକଙ୍କୁ ବୁଧବାର ବିଳମ୍ବିତ ରାତିରେ କାବୁ କରି ବାଳମୁକୁଳି ବଜାରର କେତେକ ବ୍ୟବସାୟୀ ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ଏହି ଦୁଇ ସଦିଗ୍ଧ ଯୁବକଙ୍କୁ ଅଟକ ରଖି ପଚାର ଉଚରା କରୁଥିବା ଜଣାପଡିଛି। ଅଟକ ଥିବା ଯୁବକଦ୍ୱୟ ମଙ୍ଗଳପୁର ଥାନା ଅନ୍ତର୍ଗତ କାଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ବୁଧବାର ରାତିରେ ଜଣେ ଯୁବକ ବାଳମୁକୁଳି ବଜାରଦେଇ ଯାଉଥିବାବେଳେ ରାତିରେ ବଜାର ଜଗୁଥିବା ବ୍ୟବସାୟୀମାନେ ତାଙ୍କୁ ଅଟକାଇ ପଚରା ଉଚରା କରିଥିଲେ। ତେବେ ସେ କଥାରେ ବାରମ୍ବାର ଭୂଲତଥ୍ୟ ଦେଉଥିବାରୁ ବ୍ୟବସାୟୀଙ୍କ ସନ୍ଦେହ ଘନିଭୂତ ହୋଇଥିଲା। ଏହାପରେ ତାଙ୍କ ଆଉ ଜଣେ ସହେଯାଗୀକୁ ବ୍ୟବସାୟିମାନେ କାବୁ କରିଥିଲେ। ଗୁରୁବାର ସକାଳେ ସ୍ଥାନୀୟ ଲୋକେ ଯୁବକଦ୍ୱୟଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ପରେ ଥାନାକୁ ଖବର ଦେଇ ପୋଲିସ ଜିମା ଦେଇଥିଲେ। ପୋଲିସ ଉଭୟଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଥାନା ଅଧିକାରୀ କହିଛନ୍ତି।