‘ଚେହ୍‌ରେ’ର ନୂଆ ଚେହେରା ଅଙ୍କିତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଚେହ୍‌ରେ’କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଥମେ ଫିଲ୍ମର ଷ୍ଟାର୍‌-କାଷ୍ଟଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପରେ ଯୋଡ଼ି ହୋଇଗଲା ହିରୋଇନ୍‌ଙ୍କ ସହ ବିବାଦ। ଅର୍ଥାତ୍‌ ଫିଲ୍ମରେ ମହାନାୟକ ଅମିତାଭ୍‌ ବଚ୍ଚନ ଏବଂ ଇମ୍ରାନ୍‌ ହାସ୍‌ମୀଙ୍କ ସହ କ୍ରିତି ଖରବନ୍ଦା ନଜର ଆସିବେ ବୋଲି ଘୋଷଣା କରାଯିବା ପରଠାରୁ ହିଁ ଫିଲ୍ମ ଚର୍ଚ୍ଚାରେ ଥିଲା। ପରେ କିନ୍ତୁ କ୍ରିତିଙ୍କ ନଖରାମି ପାଇଁ ତାଙ୍କୁ ଫିଲ୍ମରୁ ଆଉଟ୍‌ କରାଗଲା। ଏବେ ‘ଚେହ୍‌ରେ’ ପାଇଁ ନୂଆ ଚେହେରା ଖୋଜା ଚାଲିଛି। ତାଜା ଅପ୍‌ଡେଟ୍‌ସ ଅନୁଯାୟୀ, ଫିଲ୍ମର ପ୍ରଯୋଜକ ଆନନ୍ଦ ପଣ୍ଡିତ୍‌ ଏନେଇ ଅଙ୍କିତା ଲୋଖଣ୍ଡେଙ୍କ ସହ ସାକ୍ଷାତ୍‌ କରିଛନ୍ତି। ପ୍ରଯୋଜକଙ୍କଠାରୁ ଫିଲ୍ମ ‘ଚେହ୍‌ରେ’ର କାହାଣୀ ଶୁଣିବା ପରେ ଅଙ୍କିତା ମଧ୍ୟ ରାଜି ହୋଇଯାଇଛନ୍ତି। ତେବେ ପେପର୍‌ ଓ୍ବାର୍କ ଏଯାଏ ହୋଇନାହିଁ। ଯଦି ଅଙ୍କିତା ଏହି ଫିଲ୍ମ ସାଇନ୍‌ କରିଦିଅନ୍ତି, ତେବେ ଏହା ତାଙ୍କର ୩ୟ ଫିଲ୍ମ ହେବ। ଟିଭି ପରଦାରେ ସଫଳତାର ଶୀର୍ଷକୁ ପହଞ୍ଚିବା ପରେ ଫିଲ୍ମ ‘ମଣିକର୍ଣ୍ଣିକା’ରୁ ଅଙ୍କିତା ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହାସହ ରିତେଶ୍‌ ଦେଶମୁଖ୍‌ଙ୍କ ଅପୋଜିଟ୍‌ରେ ସେ ଫିଲ୍ମ ‘ବାଗୀ-୩’ ମଧ୍ୟ ନଜରକୁ ଆସିବେ। ତେବେ ସବୁଠାରୁ ମଜାଦାର କଥା ହେଲା ପ୍ରଯୋଜକ ଆନନ୍ଦ ପଣ୍ଡିତ୍‌ଙ୍କ ଘର ସାମ୍ନାରେ ଅଙ୍କିତାଙ୍କ ପରେ ପରେ ନାୟିକା ମୌନୀ ରୟଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏବେ ପ୍ରଯୋଜକ ତାଙ୍କ ସହ ମଧ୍ୟ ଫିଲ୍ମ ‘ଚେହ୍‌ରେ’ ପାଇଁ ଆଲୋଚନା କରିଛନ୍ତି କି ନାହିଁ, ସେ ବିଷୟରେ କୌଣସି ତଥ୍ୟ ଜଣାପଡ଼ିନାହିଁ। ତେବେ ‘ଚେହ୍‌ରେ’ର ନୂଆ ଚେହେରା କିଏ, ସେନେଇ ଆମେ ଜଲ୍‌ଦି ଆପଣଙ୍କୁ ଅପ୍‌ଡେଟ୍‌ ଦେବୁ। ଅନ୍ୟପକ୍ଷରେ କ୍ରିତିଙ୍କୁ ନେଇ ଫିଲ୍ମର ପ୍ରଥମ ସିଡ୍ୟୁଲ୍‌ ଶୁଟିଂ ସରିଥିବାବେଳେ ଏବେ ନୂଆ ନାୟିକାଙ୍କ ସହ ପୁଣି ଶୁଟ୍‌ ହେବ। ସେହିଭଳି ୨ୟ ସିଡ୍ୟୁଲ୍‌ର ଶୁଟିଂ ପୋଲାଣ୍ଡରେ ମାଇନସ୍‌ ୧୦ ଡିଗ୍ରୀ ତାପମାତ୍ରାରେ କରାଯିବ। ଫିଲ୍ମରେ ବିଗ୍‌ ବି ଏବଂ ଇମ୍ରାନ୍‌ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ଫିଲ୍ମଟି ଏକ ମିଷ୍ଟ୍ରି ଥ୍ରୀଲର୍‌ ହୋଇଥିବାବେଳେ ୨୦୨୦ ଏପ୍ରିଲ ୨୪ରେ ମୁକ୍ତିଲାଭ କରିବ।

Share