ଚୁଟ୍‌କିଙ୍କ ଲେଉଟାଣି

ଥରେ ମନେପକାନ୍ତୁ ନା ସେହି ଚୁଟ୍‌କି ଚରିତ୍ରକୁ। ସୁପରହିଟ୍‌ ଓଡ଼ିଆ ସିନେମା ‘ଆକାଶେ କି ରଙ୍ଗ ଲାଗିଲା’ରେ ଏହି ଭୂମିକା ତାଙ୍କୁ କେତେ ମାଇଲେଜ୍‌ ଦେଇଥିଲା, ତାହା କହିବା ବାହୁଲ୍ୟ। ଏକ ଚୁଲ୍‌ବୁଲି ତଥା ଭାବପ୍ରବଣ ଭଉଣୀ ଭୂମିକାକୁ ସେ ଏତେ ନିଖୁଣ ଭାବେ ତୁଲାଇଥିଲେ ଯେ ତାହା ତାଙ୍କ କ୍ୟାରିୟରକୁ ନୂଆ ମୋଡ଼ ଦେଇଥିଲା। ହଁ, ସେ ହେଲେ ରାଲି ନନ୍ଦ। ବର୍ତ୍ତମାନ ‘ଆପିପିବି’ର ସିନିୟର ମ୍ୟାନେଜର ଭାବେ କାର୍ଯ୍ୟରତ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ସେ ଓଡ଼ିଆ ସିନେମାଠାରୁ ଦୂରେଇ ଯାଇଛନ୍ତି। ଖୁସିର କଥା ଯେ, ଖୁବ୍‌ଶୀଘ୍ର ସେ ମା’ ଡାକ ଶୁଣିବାକୁ ଯାଉଛନ୍ତି। କେବଳ ସେତିକି ନୁହେଁ, ପୁଣିଥରେ ବଡ଼ ପରଦାରେ ମୁହଁ ଦେଖାଇବାକୁ ନିଜକୁ ମାନସିକସ୍ତରରେ ପ୍ରସ୍ତୁତ କରିସାରିଲେଣି। ବର୍ତ୍ତମାନ ଭୁବନେଶ୍ୱରରେ ରହୁଥିବା ରାଲିଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ‘କଳିଙ୍ଗପୁତ୍ର’ରୁ। ଏହି ଫିଲ୍ମରୁ ମଧ୍ୟ ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ ଆକାଶ। ଆକାଶ-ରାଲିଙ୍କ ଅଭିନୟକୁ ଏଥିରେ ବେଶ୍‌ ପ୍ରଶଂସା କରାଯାଇଥିଲା। ‘କଳିଙ୍ଗପୁତ୍ର’ ଏବଂ ‘ଆକାଶେ କି ରଙ୍ଗ ଲାଗିଲା’ ବ୍ୟତୀତ ‘ନଈ ସେପାରି କନକଗୋରୀ’, ‘ଓଁ ନମଃ ଶିବାୟ’, ‘ତୁ ଥିଲେ ମୋ ଡର କାହାକୁ’, ‘ମା’ ଖୋଜେ ମମତା’, ‘ଟଙ୍କା ତତେ ସଲାମ୍‌’, ‘ସୁପରଷ୍ଟାର’ ଏବଂ ‘ ପୁଣି ଦେଖା ହେବ ଆର ଜନମରେ’ ଆଦି ସିନେମାରେ ରାଲି ଅଭିନୟ କରିସାରିଛନ୍ତି। କେବଳ ଜଣେ ଅଭିନେତ୍ରୀ ନୁହନ୍ତି, ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା ଭାବରେ ସେ ବେଶ୍‌ ପ୍ରଶଂସା ସାଉଁଟିଥିଲେ। ତେବେ ଓଲିଉଡ୍‌ରେ ରାଲିଙ୍କ ଦ୍ୱିତୀୟ ଇନିଂସ କେବେ ଆରମ୍ଭ ହେଉଛି ତାହା ଜାଣିବାକୁ ଆମକୁ ଅପେକ୍ଷା କରିବାକୁ ପଡ଼ିବ।

Share