Categories: ଜାତୀୟ

ଚିଦାମ୍ବରମଙ୍କ ଜାମିନ ଆବେଦନ: ସିବିଆଇକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲ୍‌ରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ସିବିଆଇକୁ ନୋଟିସ ଜାରି କରିଛନ୍ତି। ଜଷ୍ଟିସ ଆର୍‌. ଭାନୁମଥି ଓ ହୃଷୀକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଜବାବ ଦାଖଲ କରିବା ଲାଗି ସିବିଆଇ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୫କୁ ଧାର୍ଯ୍ୟ କରିଛନ୍ତି। ସେପ୍ଟେମ୍ବର ୩୦ରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଜାମିନ ଆବେଦନକୁ ଖାରଜ କରିବା ପରେ ସେ ଏହାକୁ ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲେ। ଅଗଷ୍ଟ ୨୧ରେ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିବା ପରେ ସେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଦିଲ୍ଲୀର ଏକ ଅଦାଲତ ତାଙ୍କ ହାଜତ ସମୟସୀମାକୁ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସିବିଆଇ ହାଜତ ଓ ତିହାର ଜେଲ୍‌ରେ ଚିଦାମ୍ବରମ ୪୩ ଦିନ ବିତାଇସାରିଲେଣି।

Share