ଚିତ୍ରରେ କରୋନା ସଚେତନତା ବାର୍ତ୍ତା

ଶେରଗଡ଼,୩ା୪(ଡି.ଏନ୍‌.ଏ.): କରୋନା ସଚେତନତା ଲାଗି ସମଗ୍ର ଦେଶବାସୀ ଯେମିତି ଅଣ୍ଟା ଭିଡ଼ିଛନ୍ତି। ସମସ୍ତଙ୍କୁ ସରକାର ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କ ଜୀବନ ଜୀବିକାରେ ବାଧା ସୃଷ୍ଟି ହୋଇଛି। ଏଥିରୁ ଚିତ୍ରକରମାନେ ମଧ୍ୟ ବାଦ୍‌ ପଡ଼ିନାହାନ୍ତି। କରୋନା ଯୋଗୁ ସେମାନେ ହାତଗୋଡ଼ ବାନ୍ଧି ବସିଛନ୍ତି। ମାତ୍ର ଏହି ଦୁର୍ଦ୍ଦଶା ସମୟରେ ନିଜର ତୂଳୀକୁ ଶାଣିତ କରିଛନ୍ତି ଚିତ୍ରକର। ଲୋକମାନଙ୍କୁ ଘରେ ରହିବା ସହ ସାମାଜିକ ଦୂରତ୍ୱ ପାଳନ କରିବାକୁ ଚିତ୍ର ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିଛନ୍ତି। ଶେରଗଡ଼ ଚାରି ଛକ, ତିନିଛକ, ବଜାର ଛକରେ ଚିତ୍ରରେ ଲୋକମାନଙ୍କୁ ଶେରଗଡ଼ ଚିତ୍ରକର ସଂଘ ପକ୍ଷରୁ ଏହି ସଚେତନତା ବାର୍ତ୍ତା ଦିଆଯାଇଛି। ଏହି ବାର୍ତ୍ତା ଏବେ ସମସ୍ତଙ୍କ ମନକୁ ଛୁଇଁଛି। ଚିତ୍ରକରଙ୍କ ଏହି ପ୍ରୟାସକୁ ଶେରଗଡ଼ବାସୀ ବେଶ୍‌ ପ୍ରଶଂସା କରିଛନ୍ତି।