ଚିକିତ୍ସା ଲାଗି ରୁନି ଗଲେ କଟକ ଏସ୍‌ସିବି ମେଡିକାଲ

ବରଗଡ଼ ଅଫିସ୍‌,୨୮।୪: ନିଆଁରେ ପୋଡ଼ିହୋଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଳ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦)ଙ୍କୁ ମଙ୍ଗଳବାର ପୂର୍ବାହ୍ନରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଳକୁ ଅଧିକ ଉନ୍ନତ ଚିକିତ୍ସା ଲାଗି ଏଠାରୁ ସ୍ଥାନାନ୍ତର କରାଯାଇଛି । ରୁନି ଗତ ଫେବୃୟାରୀ ମାସରେ ନିଆଁରେ ପୋଡ଼ି ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ବୁର୍ଲା, କଟକ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ । ମାତ୍ର ଉଚ୍ଚତର ଚିକିତ୍ସାର ଆବଶ୍ୟକତା ଥିବାରୁ ଅର୍ଥାଭାବ ଯୋଗୁ ସେଠାରୁ ଘରକୁ ଫେରି ଆସି ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ରୁନିଙ୍କ ଚିକିତ୍ସାରେ ଅର୍ଥାଭାବକୁ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା । ସେହିପରି ସାମାଜିକ କର୍ମୀ ଦୀପା ବାରିକ ଧରିତ୍ରୀରେ ପ୍ରକାଶିତ ଖବରକୁ ମୁଖ୍ୟମନ୍ତ୍ରୀ, ବରଗଡ଼ ଜିଲାପାଳ ପ୍ରମୁଖଙ୍କୁ ଟୁଇଟ୍‌ କରି ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ସୋମବାର ରାତିରେ ବରଗଡ଼ ତହସିଲଦାର ସବ୍ୟସାଚୀ ପଣ୍ଡା ମଧ୍ୟ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ରୁନିଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ପଚାରି ବୁଝିଥିଲେ । ଅନ୍ୟପଟେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଘଟଣା ଜାଣିବା ପରେ ରୁନିଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ନେବା ପାଇଁ ପରାମର୍ଶ ଦେଇଥିଲେ । ଫଳରେ ସୋମବାର ରାତିରେ ରୁନିଙ୍କୁ ବୁର୍ଲା ଭିମ୍‌ସାର୍‌ ଏବଂ ସେଠାରୁ ମଙ୍ଗଳବାର ପୂର୍ବାହ୍ନରେ କଟକ ସ୍ଥାନାନ୍ତର କରାଯାଇଛି।