ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲ ଗଲେ ରଘୁମଣି

ଜୁନାଗଡ,୧୭।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ତଳପଡାର ରଘୁମଣି ନାଏକ (୪୨)ଙ୍କ ଚିକିତ୍ସା ପାଇଁ ଜୁନାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ହସ୍ତକ୍ଷେପ କରିଛନ୍ତି। ଗତ କିଛି ଦିନ ହେବ ଅନ୍ତଃ ନଳୀରେ ଘା’ ଯୋଗଁ ସେ ଦିନରାତି ବିଛଣାରେ ଶୋଇ ରହିଥିଲେ। ଅସ୍ତ୍ରୋପଚାର କଲେ ସେ ଆରୋଗ୍ୟ ହେବେ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। ତେବେ ଅର୍ଥାଭାବରୁ ତାଙ୍କ ଅସ୍ତ୍ରୋପ୍ରଚାର ହୋଇପାରୁ ନ ଥିଲା। ଏହାକୁ ନେଇ ପରିବାର ଲୋକେ ଚିନ୍ତାରେ ରହିଥିଲେ। ଗତ ୧୩ ତାରିଖ ଧରିତ୍ରୀରେ ଏହି ଖବର ପ୍ରକାଶ ପାଇବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଏ ସମ୍ପର୍କରେ ମନ୍ତ୍ରୀ ମିଶ୍ର ଜାଣଲା ପରେ ରଘୁମଣିଙ୍କ ଚିକିତ୍ସା ବ୍ୟବସ୍ଥା କରିବା ଓ ରେଡ୍‌କ୍ରସରୁ ସହାୟତା ଦେବା ପାଇଁ ଜିଲା ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ବିଭାଗକୁ ପତ୍ର ଲେଖିଥିଲେ। ଏହାପରେ ରଘୁମଣିଙ୍କୁ ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟ ହରିହର କ୍ୟାନସର ଡାକ୍ତରଖାନା ପଠାଯାଇଛି।