ଚିକିତ୍ସା ନାଁରେ ଶରୀରକୁ କାମୁଡ଼ିଥିବା ଗୁଣିଆ ଗିରଫ

କାଲିମେଳା,୧୫ା୮(ଡି.ଏନ.ଏ.):ଶରୀରକୁ କାମୁଡି ରୋଗ ଭଲ କରୁଥିବା ନେଇ ଦାବି କରୁଥିବା ଗୁଣିଆ କସା ବେଟୀ ବୁଧବାର ଗିରଫ ହୋଇଛନ୍ତି। ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତର ଉର୍ମାଗୁଡା ଗ୍ରାମର ଜଣେ ମହିଳାଙ୍କ ଜ୍ୱର ଭଲ କରିବା ଲାଗି କସା ତାଙ୍କୁ ଝଡାଫୁଙ୍କା କରିବା ସହ ତାଙ୍କ ଶରୀରର ମୁହଁ, ବେକ, ପେଟ ପିଠିକୁ କାମୁଡିଥିଲେ। ସେଠାରେ ପରିବାର ଲୋକେ ଉପସ୍ଥିତ ଥିଲେ ମଧ୍ୟ ମହିଳା ଜଣକ ଭଲ ହୋଇଯାନ୍ତୁ ବୋଲି ଭାବି କିଛି କହି ନ ଥିଲେ। ପରେ ମଙ୍ଗଳବାର ଏମଭି-୭୯ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ କସା ଫେରାର ହୋଇଯାଇଥିଲେ। ଫଳରେ ପୋଲିସ କସାଙ୍କୁ ନ ପାଇ ଫେରି ଆସିଥିଲା। ତେବେ ବୁଧବାର ସକାଳେ ସେ ଘରେ ଥିବା ସମୟରେ ତାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ବିରୋଧରେ ଆଇପିସି ଦଫା ୩୪୨,୩୫୪ ଏବଂ ଗୁଣିଗାରେଡି ଆଇନ ଧାରା ୪ ଅନୁଯାୟୀ ୫୬/୧୯ ନଂରେ ଏକ ମାମଲା ରୁଜୁ ହୋଇଛି।