ଚିକରଡ଼ା ଗ୍ରାମରେ ଝାଡ଼ାବାନ୍ତି : ଦୂଷିତ ପାଣି ପିଇ ୩୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ଗୋପାଳପୁର,୩୦।୯-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଚିକରଡ଼ା ଗ୍ରାମରେ ଦୂଷିତ ପାଣି ପିଇ ରବିବାର ୩୦୦ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୋମବାର ୩୦ ଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆରବିଏସ୍‌କେ (ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ)ର ଦୁଇଟି ଟିମ ଗ୍ରାମରେ ପହଞ୍ଚତ୍ ପ୍ରତି ଘରକୁ ଓଆର୍‌ଏସ୍‌ ଔଷଧ ସହ ପାଣିରେ ବ୍ଲଚିଂ ମିଶାଇ ପିଇବାକୁ ପରାମର୍ଶ ଦିଆଯାଇଛି।
ପ୍ରକାଶ ଯେ, ଜିଲାର ବିଭିନ୍ନ ସ୍ଥାନରେ କିଛିଦିନ ହେଲା ବର୍ଷା ଲାଗି ରହିଛି। ଚିକରଡ଼ା ଗ୍ରାମର ବୋରୱେଲ ଖାଲୁଆ ସ୍ଥାନରେ ଥିବାରୁ ଦୂଷିତ ପାଣି ସେଠାରେ ଜମି ରହିଥିଲା। ପରେ ବୋରୱେଲ ଭିତରକୁ ତାହା ପଶି ଯାଇଥିଲା। ଗତ କିଛିଦିନ ଧରି ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏହି ପାଣି ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଇଥିଲା। ଖବର ପାଇ ରଙ୍ଗେଇଲୁଣ୍ଡା ବିଡିଓ କୁମାର ନାଗଭୂଷଣ ପହଞ୍ଚତ୍ ସ୍ବାସ୍ଥ୍ୟ ଅଧିକାରୀ, ଗ୍ରାମ୍ୟ ଓ ଜଳ ଯୋଗାଣ ଅଧିକାରୀ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଘଟଣା ଉପରେ ଦୃଷ୍ଟି ରଖାଯାଇଥିବା ବିଡ଼ିଓ ସୂଚନା ଦେଇଛନ୍ତି । ଅନ୍ୟ ସାହିରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପୀବାରେ ଲାଗିଛି । ଏହାର ପ୍ରତିକାର ପାଇଁ ଔଷଧ, ବ୍ଲିଚିଂ ଏବଂ ଓଆର୍‌ଏସ୍‌ ପ୍ୟାକେଟ ବଣ୍ଟନ କରାଯାଇଥିବା ବିଡିଓ କହିଛନ୍ତି।